ପୁରୀ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ଠିକାଦାର ମରାମତି ଆଳରେ ଯେଉଁ ପିଚୁ ପକାଇଛନ୍ତି, ତାହା ଫଡ଼ାଫଡ଼ା ହୋଇ ଉଠିଯାଉଛି। ଯାହାକୁ ନେଇ ଗାଁରେ ଅସନ୍ତୋଷ ଦେଖାଦେଇଛି। ଲୋକେ ଏ ନେଇ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଉପରେ ତାତିଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ବ୍ଲକ୍‌ ବୀରହରେକୃଷ୍ଣପୁର ପଞ୍ଚାୟତ ଉତ୍ତର ସରପଡ଼ା ଗାଁ’ରେ। ଗାଁର ଅଭିମନ୍ୟୁ ନାୟକ କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫ ବର୍ଷ ତଳେ ବୀରହରେକୃଷ୍ଣପୁର ପଞ୍ଚାୟତ ଉତ୍ତର ସରପଡ଼ାରୁ ମାଳତୀପାଟପୁର ମେରାଇନ୍‌ ଡ୍ରାଇଭ୍‌ ବାଇପାସ ରାସ୍ତା(ଡିଫେନ୍ସ ରୋଡ୍‌)କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ତିଆରି ହୋଇଥିଲା। ୫ ବର୍ଷ ପରେ ଏହାର ମରାମତି କରାଯାଉଛି। ଗତକାଲି ଠିକାଦାର ଏହି ରାସ୍ତା ଉପରେ ପିଚୁ ପକାଇଥିଲେ। କିନ୍ତୁ ଆଜି ଏହି ପିଚୁ ସବୁ ଫଡ଼ାଫଡ଼ା ହୋଇ ଛାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଗେଲବାଇ ଠାକୁରାଣୀଙ୍କ ମନ୍ଦିରଠାରୁ ପ୍ରାୟ ୪ଶହ ମିଟର ରାସ୍ତା ପିଚୁ ପଡ଼ିଥିବାବେଳେ ଏହି ପିଚୁ ଅତି ନିମ୍ନମାନର ରହିଛି।

Advertisment

ହାତରେ ଧରିଲେ ଏହା ଉଠିଯାଉଛି। ରାସ୍ତା ମରାମତିରେ ଏଭଳି ନିମ୍ନମାନର କାମ ଆଦୌ ଗ୍ରହଣୀୟ ନୁହେଁ। ଗାଁର ଅନ୍ୟମାନେ କହିଛନ୍ତି, ରାସ୍ତାରେ ପିଚୁ ପଡ଼ିବା ପୂର୍ବରୁ ପୁରୁଣା ରାସ୍ତାକୁ ତାଡ଼ିବା କଥା। କିନ୍ତୁ ସେଭଳି କିଛି କରାଯାଇନି। ପୂର୍ବ ପିଚୁ ରାସ୍ତା ଉପରେ ସେହିଭଳି ନୂଆ ପିଚୁ ପକାଇ ଦିଆଯାଇଛି। ପିଚୁ ଅଠା ବି ଠିକ୍‌ରେ ଦିଆହୋଇନି। ଠିକାଦାର କାମ କରି ଟଙ୍କା ନେଇ ପଳାଇବେ। କିନ୍ତୁ ରାସ୍ତା କିଛିଦିନ ଭିତରେ ପୂର୍ବଭଳି ନଷ୍ଟ ହୋଇଯିବ। ସେପଟେ ଠିକାଦାର କାମ କରିବା ବେଳେ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ରହିବା କଥା। କିନ୍ତୁ କେହି ବି ଉପସ୍ଥିତ ରହୁନାହାନ୍ତି କି କାମର ମାନ ଦେଖୁନାହାନ୍ତି। ଠିକାଦାରଙ୍କୁ ଏଭଳି ନିମ୍ନମାନର କାମ କରିବାକୁ ସୁଯୋଗ ଦେଉଛନ୍ତି। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଗାଁ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ନଚେତ୍‌ କାମ କରାଇ ଦେବୁନି ବୋଲି ଗ୍ରାମବାସୀ କହିଛନ୍ତି। ଏ ଉପରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କର ବି ଦୃଷ୍ଟି ଆକର୍ଷଣ କରିବୁ ବୋଲି ଗାଁ ଲୋକେ କହିଛନ୍ତି।