ଝାରସୁଗୁଡ଼ା:  ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଗସ୍ତରେ ଆସି ଅମଲିପାଲିସ୍ଥିତ ଯୁବ ସମାବେଶରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ। ଆଜି ଗଣମାଧ୍ୟମକୁ ଶ୍ରୀ ଯାଦବ କହିଲେ, ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ଯାଏଁ ଚାଲିବାକୁ ଥିବା ସେବାପକ୍ଷରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି। ପଶ୍ଚିମ ଓଡ଼ିଶାର ଯୁବକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

Advertisment

ଏହି ଅବସରରେ କିଛି ନୂଆ ଘୋଷଣା ଓ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ହୋଇପାରେ ବୋଲି ଶ୍ରୀ ଯାଦବ କହିଛନ୍ତି। ସୋମବାର ଆର୍‌ଡିସି ଶ୍ରୀ ଯାଦବ ଓ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ୍‌ ଆଜି ଝାରସୁଗୁଡ଼ା ଆସି ସମାବେଶ ସ୍ଥଳ ନିରୀକ୍ଷଣ କରିଛନ୍ତି। ସୋମବାରଠାରୁ ଜିଲ୍ଲାର ସମସ୍ତ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବାବେଳେ ଆଜି ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅନୁପସ୍ଥିତ ଥିବା ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗୀୟ ମୁଖ୍ୟଙ୍କ ସହ ପ୍ରାୟ ୩ ଜଣ ଅଧିକାରୀଙ୍କ ବିରୋଧରେ କାରଣଦର୍ଶାଅ ନୋଟିସ୍‌ ଜାରି କରିବାକୁ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଆଜି ଏସ୍‌ପିଜି ଯବାନ ଝାରସୁଗୁଡ଼ାରେ ପହଞ୍ଚିବା ସହ ସଭାସ୍ଥଳ ନିରୀକ୍ଷଣ କରିଛନ୍ତି।