ବିଜେଡିକୁ ଟକ୍କର ଦେବାକୁ ବିଜେପିର ଯୋଜନା : କଟକ ଆସିବେ ପ୍ରଧାନମନ୍ତ୍ରୀ

କଟକ : ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଟକ୍କର ଦେବାକୁ ଯୋଜନା ପ୍ରସ୍ତୁତ କରିଛି ବିଜେପି। ଏଥିପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। କଟକର ମହାନଦୀ କୂଳ ବାଲିଯାତ୍ରା ପଡ଼ିଆରେ ଏଥିପାଇଁ ଏକ ବିଶାଳ ସମାବେଶ ଆୟୋଜନ କରିବାର ରୂପରେଖ ପ୍ରସ୍ତୁତ ହୋଇଛି। ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦ ଆଜି ବିଳମ୍ବିତ ରାତିରେ ମହାନଦୀ କୂଳ ବାଲିଯାତ୍ରା ପଡ଼ିଆକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି କର୍ଣ୍ଣାଟକରେ ବିଜେପି ସରକାରର ଭାଗ୍ୟ ନିର୍ଣ୍ଣୟକୁ ଅପେକ୍ଷା କରାଯାଇଛି। ଯଦି ସେଠାରେ ସବୁକିଛି ବିଜେପି ସପକ୍ଷରେ ଯାଏ ତେବେ ହୁଏତ ଆସନ୍ତା ୨୬ ତାରିଖରେ ନରେନ୍ଦ୍ର ମୋଦି କଟକ ଗସ୍ତରେ ଆସି ଏହି ବିଶାଳ ଜନସମାବେଶରେ ଯୋଗ ଦେବେ। ଆସନ୍ତାକାଲି ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯିବ। ମହାନଦୀ ପ୍ରସଙ୍ଗରେ କେନ୍ଦ୍ରରେ ବିଜେପି ସରକାର ଓଡ଼ିଶାବାସୀଙ୍କ ସ୍ୱାର୍ଥ ବିରୋଧୀ ନୁହେଁ। ଓଡ଼ିଶା ସରକାର ମହାନଦୀ ପ୍ରସଙ୍ଗରେ ଯେଉଁ ପଦକ୍ଷେପ ନେବେ, ସେଥିରେ କେନ୍ଦ୍ର ସରକାର ସହଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଏ ପ୍ରକାର ଭରସା ଦେବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି।

ଆଜି ବିଳମ୍ବିତ ରାତିରେ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କେ.ଭି.ସିଂହଦେଓ, ସୁଦ୍ଦାମ ସିଂହ, ସମୀର ଦେ, ନୟନ ମହାନ୍ତି, ଭୃଗୁ ବକ୍ସିପାତ୍ର, ପୃଥ୍ଵୀରାଜ ହରିଚନ୍ଦନ, ସମୀର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ଲକ୍ଷ୍ମୀଧର ପ୍ରଧାନ, ଦେବାଶିଷ ଘୋଷ ପ୍ରମୁଖ ମହାନଦୀ କୂଳ ବାଲିଯାତ୍ରା ପଡ଼ିଆ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର