ସମ୍ବଲପୁର: ଆସନ୍ତା ୨୪ ତାରିଖ ଦିନ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ୨ଟି କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଉକ୍ତ ଦିନ ଗୋଶାଳା ନିକଟ ବସନ୍ତପୁର ଠାରେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ନୂଆ କ୍ୟାମ୍ପସ୍‌ର ଉଦ୍‌ଘାଟନ କରିବେ। ଏହା ସହିତ ଏକ ବିଶାଳ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ। ଜନସଭା ପାଇଁ ସହର ଆଖାପାଖରେ ଜାଗା ଖୋଜା ଚାଲିଛି। ଏକ ପ୍ରତିନିଧି ଦଳ ସମ୍ବଲପୁର ଆସି ପ୍ରାରମ୍ଭିକ ଭାବେ ୨/୩ଟି ଜାଗା ଦେଖି ଦିଲ୍ଲୀ ଫେରିଥିବା ଜଣାପଡ଼ିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୨୧ରୁ ଆଇଆଇଏମ୍ ସମ୍ବଲପୁରରେ ହେବାକୁ ଥିବା ତିନିଦିନିଆ ସର୍ବଭାରତୀୟ ସମ୍ମିଳନୀକୁ ଏକ ମାସ ପାଇଁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି।