ଭୁବନେଶ୍ୱର: ଚଳିତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଥର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୮ତାରିଖରୁ ଜନତା ମଇଦାନରେ ତିନିଦିନିଆ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେବ। ପ୍ରଥମ ଦିନ ଯୁବ ପ୍ରବାସୀ ଭାରତୀୟ ଦିବସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ମୁଖ୍ୟଅତିଥି ଭାବେ ଯୋଗଦେବେ। ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୮ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୮ତାରିଖ ସନ୍ଧ୍ୟାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧା ରାଜଭବନକୁ ଯାଇ ରାତ୍ରିଯାପନ କରିବେ। ୯ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବେ ଏବଂ ସେହି ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ଉତ୍ସବରେ ଯୋଗ ଦେବେ। ଏହି ଅବସରରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଚଳିତ ମାସରେ ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଶିଳ୍ପ ମହାକୁମ୍ଭର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ରଖିଛନ୍ତି। ଏଥିରୁ ଜଣାଯାଇଛି ଯେ ଜାନୁଆରି ୨୭ ତାରିଖରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଏହାର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ଜାନୁଆରି ୨୮ ଓ ୨୯ ଦୁଇ ଦିନ ଧରି ୪ଟି ପ୍ଲେନାରି ସେସନ୍, ବିଭିନ୍ନ କ୍ଷେତ୍ର ଉପରେ ୧୬ଟି ଓ ୪ଟି ରାଉଣ୍ଡ ଟେବୁଲ୍ କନ୍ଫରେନ୍ସ ଅନୁଷ୍ଠିତ ହେବ।
୮ରୁ ପ୍ରବାସୀ ଭାରତୀୟ ଦିବସ
୨୮ରୁ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫
ସାମିଲ ହେବେ ରାଷ୍ଟ୍ରପତି, ବୈଦେଶିକ ମନ୍ତ୍ରୀ, ବହୁ ବିଶିଷ୍ଟ ବ୍ୟକ୍ତି
ଦୁଇ ଦିନ ଧରି ହେବ ଶିଳ୍ପ ମହାକୁମ୍ଭ
ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଯୋଗଦେବେ। ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍ବୋଧନ ଦେବେ। ଏହି ଦୁଇ ଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତିମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ଼ବଡ଼ ଶିଳ୍ପସଂସ୍ଥାର ସିଇଓମାନଙ୍କ ରାଉଣ୍ଡ୍ଟେବୁଲ, ଓଡ଼ିଆ ଉଦ୍ୟୋଗୀମାନଙ୍କ ସ୍ୱତନ୍ତ୍ର ଅଧିବେଶନ ଏବଂ ମହିଳା ବିଜନେସ୍ ଲିଡର୍ସମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡ଼ିଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଅଧିବେଶନ ହେବ। ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଔଦ୍ୟୋଗିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ସମସ୍ତ କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନଙ୍କ ପାଖରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଦୀର୍ଘ ସମୟ ପାଇଁ ଓଡ଼ିଶା ପୁଞ୍ଜିନିବେଶକମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜିର ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।