କନ୍ଦରପୁର : ଜଗତ୍‌ସିଂହପୁର ଜିଲ୍ଲା କନ୍ଦରପୁର ଗ୍ରାମର ସଢ଼େଇ କାରିଗର ଚିତ୍ତରଞ୍ଜନ ଭୋଇ(କାହ୍ନୁ)ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହେବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାହ୍ନୁଙ୍କୁ ସୂଚନା ଦିଆଯାଇଛି।

Advertisment

ଗତକାଲି ରାତି ପ୍ରାୟ ୮ଟା ବେଳେ କାହ୍ନୁଙ୍କ ମୋବାଇଲ ଫୋନକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଲ ଆସିଥିଲା। ଫୋନ କରଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଜଣକ କାହ୍ନୁ ଓ ତାଙ୍କ ପରିବାର ବିଷୟରେ ପଚାରି ବୁଝିବା ସହ ତାଙ୍କ ନାମ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିବା ସୂଚନା ଦେଇଥିଲେ। ଆସନ୍ତା ରବିବାର 'ମନ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ କଥାହେବେ ଓ କାର୍ଯ୍ୟକ୍ରମର ୩ଘଣ୍ଟା ପୂର୍ବରୁ ତାଙ୍କୁ ଜଣାଇ ଦିଆଯିବ ବୋଲି ତାଙ୍କୁ ସୂଚନା ଦିଆଯାଇଛି।

କିଛିଦିନ ପୂର୍ବେ ଭାରତୀୟ ରେଳବାଇ ବୋର୍ଡ ସଦସ୍ୟ ତଥା ସଦର ବିଜେପି ନେତା ଦିଲ୍ଲୀପ ମଲ୍ଲିକ ତାଙ୍କୁ ଭେଟି ତାଙ୍କର କାରିଗରୀ ଦେଖିବା ସହ ତାଙ୍କ ଠାରୁ  ଦୁଇଟି ସଢ଼େଇ ତିଆରି ଗଣେଶ ମୂର୍ତ୍ତି କିଣି ନେଇଥିବା କାହ୍ନୁ କହିଛନ୍ତି। ଏଥିରୁ ଶ୍ରୀ ମଲ୍ଲିକ ଗୋଟିଏ ଗଣେଶ ମୂର୍ତ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପହାର ଦେବାସହ ମନ କି ବାତ କାର୍ଯ୍ୟକ୍ରମ ପାଇଁ କାହ୍ନୁଙ୍କ ନାମ ସୁପାରିସ କରିଥିଲେ। କାହ୍ନୁଙ୍କ ସଢ଼େଇରେ ତିଆରି ରାକ୍ଷୀର ସ୍ଥାନୀୟ ଅଞ୍ଚଳରେ ବିଶେଷ ଚାହିଦା ରହିଛି। ଏଥିସହ କାହ୍ନୁ ସଢ଼େଇ, କାଚ ବୋତଲ ଆଦିରେ ଭଳିକି ଭଳି ଘର ସଜ୍ଜା ସାମଗ୍ରୀ ତିଆରି କରନ୍ତି।