ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା: ଓଡ଼ିଶାକୁ ୧୨୦୮.୮୬ କୋଟି ଦେଇଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାର ଆଠଟି ଜଳସେଚନ ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ଯଥା ଉପର ଇନ୍ଦ୍ରାବତୀ, ରୁକୁଡା, ରେତ, ତେଲଙ୍ଗିର ଓ ନିମ୍ନ ଇନ୍ଦ୍ରାବତୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଛଡା ସୁବର୍ଣ୍ଣରେଖା, ସମନ୍ୱିତ ଆନନ୍ଦପୁର ବ୍ୟାରେଜ ଓ କାନୁପୁର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଏପ୍ରିଲ ୨୦୧୬ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୨୦୮.୮୬ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଆକାରରେ ଯୋଗାଇ ଦେଇଛନ୍ତି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି।

ଶ୍ରୀ ଟୁଡୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଆଠଟି ପ୍ରକଳ୍ପ ମାଧ୍ୟମରେ ୨୪୯.୫୩ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା କରାଯାଇଛି। ସେହିଭଳି କମାଣ୍ଡ୍‌ ଏରିଆ ବିକାଶ ଓ ଜଳ ପରିଚାଳନା ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ୧୩୧.୯୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହା ଫଳରେ ୭୧.୫୯ ହଜାର ହେକ୍ଟର ଜମିକୁ ଚାଷ ଉପଯୋଗୀ କରାଯାଇପାରିଛି। ଜଳ ଉତ୍ସଗୁଡିକର ମରାମତି ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡିଶାକୁ ୧୪୫.୧୯ କୋଟି ଟଙ୍କା ଯୋଗାଇ ଦେଇଛନ୍ତି।

ଏଥିରେ ଦୁଇଟି କ୍ଲଷ୍ଟରର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ୪୭.୯୬ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ କାମ ଚାଲିଛି। ସେ ଆହୁରି କହିଛନ୍ତି ଯେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥିରେ ନଦୀ ପରିଚାଳନା, କୂଳକ୍ଷୟ ରୋକିବା, ନଷ୍ଟ ହୋଇଯାଇଥିବା ବନ୍ୟା ନିରୋଧକ ବ୍ୟବସ୍ଥାର ପୁନରୁଦ୍ଧାର, ସମୁଦ୍ରକୂଳ କ୍ଷୟକୁ ରୋକିବା ଓ ବନ୍ୟା ନିୟନ୍ତ୍ରଣ ପାଇଁ ୮୦୦୦କୋଟି ଟଙ୍କାର କେନ୍ଦ୍ରୀୟ ବ୍ୟୟ ବରାଦ ରହିଛି। ଏକାଦଶ ଓ ଦ୍ୱାଦଶ ଯୋଜନାରେ ଓଡିଶାର ଏଭଳି ୬୮ଟି ପ୍ରକଳ୍ପକୁ କେନ୍ଦ୍ରୀୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ତଦନୁସାରେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଓଡିଶାକୁ କେନ୍ଦ୍ର ସରକାର ୧୧୯.୪୧ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୬୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଫଳରେ ୧୯୩୭୪୯ ହେକ୍ଟର ଜମି ଓ ୧୧,୫୪, ୩୦୦ ଲୋକଙ୍କୁ ବନ୍ୟା ଦାଉରୁ ସୁରକ୍ଷିତ କରାଯାଇଛି।

ମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ସହାୟତାରେ ପରିଚାଳିତ ଡ୍ୟାମ୍ ମରାମତି ଓ ବିକାଶ ପ୍ରକଳ୍ପ (ଡ୍ରିପ୍)ରେ ଓଡିଶା ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ୨୦୧୨ରୁ ୨୦୨୧ ମଧ୍ୟରେ କାର୍ଯ୍ୟକାରୀ ହୋଇଥିଲା। ପ୍ରଥମ ପଯ୍ୟାୟରେ ଓଡିଶାର ୨୬ଟି ଡ୍ୟାମ୍‌ର ମରାମତି ଓ ବିକାଶ କରାଯାଇଛି। ଏଥିପାଇଁ ୩୩୬କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ଡ୍ରିପ୍‌-୨ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଓଡିଶାର ୩୬ ଡ୍ୟାମ୍ ଅନ୍ତର୍ଭୁକ୍ତ ହୋଇଛି ଏବଂ ଏ ବାବଦରେ ମୋଟ ୮୦୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।। ଏହି କାର୍ଯ୍ୟକ୍ରମ ୨୦୨୧ ଅକ୍ଟୋବର ୧୨ରୁ ଆରମ୍ଭ ହୋଇଛି।

ତାଙ୍କ ଉତ୍ତରରେ ଜଳସଚେନ ରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଜଳସମ୍ପଦ ପ୍ରକଳ୍ପଗୁଡିକୁ ରାଜ୍ୟ ସରକାର ନିଜର ସମ୍ବଳ ଅନୁସାରେ ଯୋଜନା କରି ପାଣ୍ଠି ଯୋଗାଇଥାଆନ୍ତି ଓ ତାହାର ରକ୍ଷଣାବେକ୍ଷଣ କରିଥାନ୍ତି। ଏଥିରେ କେନ୍ଦ୍ର ସରକାରଙ୍କର ଭୂମିକା ସୀମିତ। କେନ୍ଦ୍ର କେବଳ ଏଥିରେ ରାଜ୍ୟମାନଙ୍କୁ ବୈଷୟିକ ସହାୟତା, କେତେକ କ୍ଷେତ୍ରରେ ଆଂଶିକ ଆର୍ଥିକ ସାହାଯ୍ୟ ଯୋଗାଇ ସୁବିଧାଯୋଗାଣକାରୀ ଭୂମିକା ନିର୍ବାହ କରିଥାଏ। ଜଳ ନିରାପତ୍ତା ପାଇଁ କେନ୍ଦ୍ରୀୟ ଯୋଜନା ବାହାରେ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ସୀମିତ ସହାୟତା ସ୍ଥଳ ବିଶେଷରେ ଯୋଗାଉଛନ୍ତି ବୋଲି ଶ୍ରୀ ଟୁଡୁ କହିଛନ୍ତି।

ସମ୍ବନ୍ଧିତ ଖବର