ପ୍ରଧାନମନ୍ତ୍ରୀ ଫସଲ ବୀମା ବୈଠକ: ଆଉ ଥରେ ଚାଷୀ ସଂଖ୍ୟା ଆକଳନ କରିବ କମ୍ପାନି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଫସଲ ବୀମା ନେଇ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କମ୍ପାନିମାନଙ୍କୁ ବକେୟା କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀ ସଂଖ୍ୟା ଆକଳନ ଲାଗି ନିର୍ଦେଶ ହୋଇଛି। ୨୯ ତାରିଖରେ ଏସଏଲଟିସି ବୈଠକ ହେବ। ଏଥିରେ କମ୍ପାନିମାନେ ଜଣାଇଥିବା ଆପତ୍ତିର ପୁନର୍ବିଚାର କରି ନିଷ୍ପତ୍ତି ନିଆଯିବା ଦିଗରେ କୃଷି ନିର୍ଦେଶକଙ୍କୁ କୁହାଯାଇଛି। ଏଥି ଅନୁଯାୟୀ, ବୀମା କମ୍ପାନିମାନଙ୍କୁ ମୁଖ୍ୟ ସଚିବ ନିର୍ଦେଶ ଦେବେ। ବୀମା ପଞ୍ଜୀକରଣ ଠାରୁ ବୀମା ରାଶି ପ୍ରଦାନ କାର୍ଯ୍ୟକୁ ଅଧିକ ସୁସଙ୍ଗଠିତ କରିବା ପାଇଁ ସେଲ ଗଠନ ନିମନ୍ତେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରସ୍ତାବ ଦେଇଥିଲେ। ବୀମା କମ୍ପାନିମାନଙ୍କ ଠାରୁ ଅମାନତ ଜମା ବାବଦରେ ବ୍ୟାଙ୍କ ଗ୍ୟାରେଣ୍ଟି ରଖିବା ପାଇଁ ଆଲୋଚନା ହୋଇଥିଲା। ଯେଉଁ ପଞ୍ଚାୟତଗୁଡ଼ିକ ବୀମା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ତାର ଉପଯୁକ୍ତ କାରଣ ଦେଖାଇବାକୁ ବୀମା କମ୍ପାନିଙ୍କୁ କୁହାଯାଇଛି। ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୀମା ପ୍ରଦାନରେ ବିଳମ୍ବ ଯୋଗୁଁ ପଞ୍ଜୀକରଣ ପ୍ରଭାବିତ ହେଉଥିବା କହିଥିଲେ।

ବୈଠକରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବୟନ ଶିଳ୍ପ ଏବଂ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ, ବିଧାୟକ ସୁଶାନ୍ତ ସିଂ, ସ୍ନେହାଙ୍ଗିନି ଛୁରିଆ, ଦିବ୍ୟଶଙ୍କର ମିଶ୍ର, କିଶୋର ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, କୃଷି କମିସନର ସଞ୍ଜୀବ ଚୋପ୍ରା, ସମବାୟ ସଚିବ ସଞ୍ଜୀବ ଚଢା, କୃଷି ନିର୍ଦେଶକ ପ୍ରେମଚନ୍ଦ ଚୌଧରୀ, ଓଡ଼ିଶା ସମବାୟ ବ୍ୟାଙ୍କ ଏମଡି ଗୋପବନ୍ଧୁ ଶତପଥୀଙ୍କ ସମେତ ବୀମା କମ୍ପାନି ପ୍ରତିନିଧି ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତରେ ଚଳିତ ବର୍ଷ ୨୦ ଲକ୍ଷ ୫୬ ହଜାର ୮୮୨ ଚାଷୀଙ୍କୁ ୧୩୬୪ କୋଟି ଟଙ୍କା ଦାବି କରାଯାଇଛି। ଫେବ୍ରୁଆରି ମାସରେ ଦିଆଯିବା ଟଙ୍କା ଜୁଲାଇ ମାସରେ ଦିଆଯାଇଛି। ସେଥିରୁ ମଧ୍ୟ ୬୧୫ କୋଟି ଟଙ୍କା ବାକି ରହିଛି। କେବଳ ବରଗଡ଼ ଜିଲ୍ଲା ଚାଷୀଙ୍କ ସର୍ବାଧିକ ୩୬୨ କୋଟି ଟଙ୍କା ବକେୟା ଥିବାରୁ ସେଠାରେ ଅନେକ ଦିନ ଧରି ଆନ୍ଦୋଳନ ଚାଲିଛି। ବୀମା ଟଙ୍କା ବାକି ଥିବା ଜିଲ୍ଲା ମଧ୍ୟରେ ବଲାଙ୍ଗୀରର ୧୬୪.୭୫ କୋଟି, ଗଞ୍ଜାମ ଜିଲ୍ଲାର ୮.୧୫ କୋଟି, କେନ୍ଦ୍ରାପଡ଼ାର ୫.୭୫ କୋଟି, ଦେବଗଡ଼ର ୭.୦୭ କୋଟି, ଜଗତସିଂହପୁରର ୮.୭୯ କୋଟି, କଳାହାଣ୍ଡିର ୨.୬୫ କୋଟି, ପୁରୀର ୧୮.୬୩ କୋଟି, ବାଲେଶ୍ବରର ୧.୯୮ କୋଟି, ସମ୍ବଲପୁରର ୪୭.୪୪ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର