ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ୧୬ ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଉ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୮.୧୭ ଲକ୍ଷ ଘର ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ବାକି ୧୬ ଜିଲ୍ଲାର ଆଉ ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।

ଫନି ପ୍ରଭାବିତ ହୋଇ ନ ଥିବା ଜିଲ୍ଲାଗୁଡ଼ିକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ୨୦୨୦ ଡିସେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ‌ଲେଖିଥିଲେ। ଆଜିର ଚିଠିରେ ତାହାକୁ ମନେ ପକାଇଦେବା ସହ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଆବାସ୍‌ ପ୍ଲସ୍ ୱିଣ୍ଡୋ ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ଏକ ମାସ ନିମନ୍ତେ ଖୋଲାଯାଇଥିଲା। ଫଳରେ ଅବଶିଷ୍ଟ ୧୬ଟି ଜିଲ୍ଲାର ହିତାଧିକାରୀଙ୍କୁ ସେଥିରେ ସାମିଲ କରାଯାଇପାରି ନ ଥିଲା। ଏହି ଜିଲ୍ଲାଗୁଡ଼ିକ କେବିକେ ଅଞ୍ଚଳରେ ରହିଛି ଓ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ। ଆବାସ୍‌ ପ୍ଲସ୍‌ରେ ଥିବା ବ୍ୟବସ୍ଥାକୁ ଅନୁକରଣ କରି ରାଜ୍ୟ ସରକାର ନିଜସ୍ବ ରୁରାଲ୍‌ ହାଉସିଂ ପୋର୍ଟାଲ୍ ମାଧ୍ୟମରେ ଏହି ଜିଲ୍ଲାଗୁଡ଼ିକରେ ବାଦ୍‌ ପଡ଼ିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି। ତେଣୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ ପୂରା ଓଡ଼ିଶା ପାଇଁ ଆବାସ ପ୍ଲସ୍‌ ମୋବାଇଲ୍‌ ଆପ୍‌ ଖୋଲିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଗୋଟିଏ ମାସ ପାଇଁ ଏହାକୁ ଖୋଲା ରଖିଲେ ଚିହ୍ନଟ ହୋଇଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସେଠାରେ ଦିଆଯାଇପାରନ୍ତା। ଏହା ଦ୍ବାରା ‘ସମସ୍ତଙ୍କ ପାଇଁ ନିରାପଦ ବାସଗୃହ’ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର