ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ ଯୋଜନା ବାଟବଣା: ୪ ବର୍ଷ ପରେ ବି ୩୩ ଗାଁକୁ ଅବହେଳା

ବାରିପଦା : ଅନୁସୂଚିତ ଜାତିବର୍ଗର ଲୋକ ବସବାସ କରୁଥିବା ଗାଁର ଚିତ୍ର ସମ୍ପୂର୍ଣ୍ଣ ବଦଳିବ। ପ୍ରତି ଗାଁରେ ଖର୍ଚ୍ଚ ହେବ ୪୦ ଲକ୍ଷ ଟଙ୍କା। କଂକ୍ରିଟ୍‌ ରାସ୍ତା ସାଙ୍ଗକୁ ଗାଁ ଦାଣ୍ଡ ସୌରଚାଳିତ ଆଲୁଅରେ ଆଲୋକିତ ହେବ। ଏଥିସହ ପାନୀୟ ଜଳ, ଡ୍ରେନ୍‌ ନିର୍ମାଣ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବି ବ୍ୟବସ୍ଥା ହେବ। ଏମିତି ଲକ୍ଷ୍ୟ ନେଇ ୪ ବର୍ଷ ତଳେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ ଯୋଜନା’। ଏହି ଯୋଜନା‌ରେ କେନ୍ଦ୍ର ଓ ରାଜ୍ୟ ଅନୁଦାନ ଅଧା ରଖିବାକୁ ସ୍ଥିର ହୋଇଥିବାବେଳେ ଯେଉଁ ଗାଁରେ ୫୦୦ ଲୋକ ବସବାସ କରୁଥିବେ ଏବଂ ସେଥିରୁ ୫୦ ପ୍ରତିଶତ ଲୋକ ଅନୁସୂଚିତ ଜାତି ବର୍ଗର ହୋଇଥିବେ, ସେହି ଗାଁକୁ ଉକ୍ତ ଯୋଜନାରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏସବୁ ଗାଁକୁ ଚିହ୍ନଟ କରି ତାଲିକା ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତି ବ୍ଲକ୍‌ର ବିଡିଓ ଓ ମଙ୍ଗଳ ଅଧିକାରୀଙ୍କୁ ଏ ଦାୟିତ୍ବ ଦେଇଥିଲେ ଜିଲ୍ଲାପାଳ। ତେବେ ଏହି ଯୋଜନାରେ ସାମିଲ ହେବାକୁ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ଗାଁକୁ କେହି ଅଧିକାରୀ ଗଲେନାହିଁ। ଆର୍‌ଆଇ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରି ଉପରଠାଉରିଆ ଭାବେ ଜିଲ୍ଲା‌ପାଳଙ୍କ ପାଖକୁ ତାଲିକା ପଠାଇ ଦେଲେ। ଫଳରେ, ମୟୂରଭଞ୍ଜ ଜିଲ୍ଲାର ଏମିତି ଅନେକ ଗାଁ ଏହି ଯୋଜନାରେ ସାମିଲ ହୋଇପାରିନାହିଁ।

ବେସରକାରୀ ରିପୋର୍ଟ ଅନୁଯାୟୀ ଏହି ଯୋଜନାରେ ସାମିଲ ହେବାଭଳି ୧୦୦ରୁ ଅଧିକ ଗାଁ ମୟୂରଭଞ୍ଜ ଜିଲ୍ଲାରେ ରହିଛି। ହେଲେ ୨୦୧୧ ଜନଗଣନା ରିପୋର୍ଟକୁ ଆଧାର କରି ମୋଟ ୫୯ଟି ଗାଁକୁ ଚିହ୍ନଟ କରିଛି ପ୍ରଶାସନ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ କେବଳ ବଡ଼ସାହି ବ୍ଲକ୍‌ର ହରିପୁର ଗାଁକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏହି ଗାଁର ବିକାଶ ପାଇଁ ପ୍ରଥମେ ୪୦ ଲକ୍ଷ ଓ ପରେ ଆଉ ୧୦ ଲକ୍ଷ ଦିଆଯାଇଛି। ହେଲେ ଏ ଯାଏ ଉନ୍ନୟନ କାର୍ଯ୍ୟ ଶେଷ ହୋଇନି। କାମ ନିମ୍ନମାନର ହେଉଥିବା ବେଳେ କେହି ଉପରିସ୍ଥ ଅଧିକାରୀ ତଦାରଖ କରିବାକୁ ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏବେ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ଆଉ ୨୫ଟି ଗାଁକୁ ‘ଆଦର୍ଶ ଗାଁ ଯୋଜନା’ରେ ସାମିଲ କରାଯାଇଛି।

ବେତନଟୀ ବ୍ଲକ୍‌ର ସର୍ବାଧିକ ୯ଟି ଗାଁ, ବଡ଼ସାହିରୁ ୨ଟି, ଗୋପବନ୍ଧୁନଗରରୁ ୩, କୁଳିଅଣାରୁ ୧, କରଞ୍ଜିଆରୁ ୨, ମୋରଡ଼ାରୁ ୪, ରାଇରଙ୍ଗପୁରରୁ ୨, ଶୁକୃଳି ଓ ଉଦଳା ବ୍ଲକ୍‌ରୁ ଗୋଟିଏ‌ ଲେଖାଏଁ ଗାଁ ଏହି ଯୋଜନାରେ ସାମିଲ ହୋଇଛି। ଏସବୁ ଗାଁର ବିକାଶ ପାଇଁ ବ୍ଲକ୍‌ମାନଙ୍କୁ ଅନୁଦାନ ଦିଆଯାଇଛି। ଏଥିରୁ କିଛି ଗାଁରେ କାମ ଆରମ୍ଭ ହୋଇଛି ତ ଅନେକ ଗାଁରେ ରାଜନୈତିକ ବିବାଦରୁ କାମ ଆରମ୍ଭ ହୋଇ ପାରିନାହିଁ। ତେବେ ନିର୍ଦ୍ଧାରିତ ସମୟରେ କାମ ଆରମ୍ଭ ନହେଲେ ଟଙ୍କା ଫେରିଯିବାର ଆଶଙ୍କା ରହିଛି। ଏ ନେଇ ଅଧିକ ଅଭିଯୋଗ ଆସିଲେ ଆଉ ଅନୁଦାନ ଦିଆଯିବ ନାହିଁ ବୋଲି ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି। ତଥାପି ଏହାକୁ ପ୍ରାଶାସନିକ ସ୍ତରରେ ଆଦୌ ଗୁରୁତ୍ବ ଦିଆଯାଉନାହିଁ। ଫଳରେ ଏହି ଯୋଜନା ବାଟବଣା ହେବାର ସ୍ଥିତି ଉପୁଜିଲାଣି ବୋଲି କହିଛନ୍ତି ଏହି ଯୋଜନାର କେନ୍ଦ୍ର ନୋଡାଲ୍‌ ଅଧିକାରୀ ଦିବ୍ୟଶଙ୍କର ଜେନା।

ସେହିପରି ପ୍ରଶାସନ ପାଖରେ ଥିବା ୫୯ଟି ଗାଁର ତାଲିକାରୁ ଏ ଯାଏ ମାତ୍ର ୨୬ଟି ଗାଁକୁ ଏହି ଯୋଜନାରେ ସାମିଲ କରାଯାଇଛି। ବାକି ୩୩ଟି ଗାଁ କେବେ ସାମିଲ ହେବ ତାହା ବି ଜଣାନାହିଁ। ଅନୁସୂଚିତ ଜାତିବର୍ଗ ଗାଁର ବିକାଶ ସରକାରଙ୍କ ଅସଲ ଉଦ୍ଦେଶ୍ୟ ନଥିଲା। କେବଳ ସେମାନଙ୍କ ଭୋଟ୍‌ ହାତେଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହା ଚାଲ୍‌ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଯୋଗେଶ ଅଗ୍ରୱାଲ। ଜିଲ୍ଲାରେ ୧୦୦ରୁ ଊର୍ଦ୍ଧ୍ବ ଗାଁରୁ ମାତ୍ର ୫୯ଟି ଚିହ୍ନଟ କରିବାରେ ସଫଳ ହେଲା ପ୍ରଶାସନ। ଆଉ ଯୋଜନାର ୪ ବର୍ଷ ପରେ ବି ସେହି ସବୁ ଗାଁ ପାଇଁ ଅନୁଦାନ ଆସିନପାରିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଯୁବ ସମାଜସେବୀ ଚନ୍ଦନ ଶେଜପଡ଼ା। ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଯୋଜନାର ସଫଳ ରୂପାୟନ କରିବାକୁ ଶାମାଖୁଣ୍ଟା ବ୍ଲକ୍‌ର ନିରାକର ମଲ୍ଲିକ ଓ ଜୀବନ ଜେନା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର