ଭୁବନେଶ୍ବର: ଯୁବକଯୁବତୀମାନଙ୍କୁ ବ୍ୟାବହାରିକ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ନିଯୁକ୍ତି ପାଇବାର ସମ୍ଭାବନା ବୃଦ୍ଧି କରିବା ନିମନ୍ତେ ସ୍କିଲ ଇଣ୍ଡିଆ ତରଫରୁ ଆଜି ଓଡ଼ିଶାର ୧୦ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀସ ମେଳା ଆୟୋଜିତ ହୋଇଯାଇଛି। ଏଥିରେ ଆଶାୟୀ ପ୍ରଶିକ୍ଷାର୍ଥୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ନିମନ୍ତେ ୩୬ରୁ ଅଧିକ କ୍ଷେତ୍ରର ୫୦୦ରୁ ଅଧିକ ଟ୍ରେଡ୍ ଏବଂ ୧୦୦ରୁ ଅଧିକ କମ୍ପାନି ଯୋଗ ଦେଇଥିଲେ।
ଯେଉଁ ଯୁବକଯୁବତୀମାନଙ୍କର ୫ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ସାର୍ଟିଫିକେଟ, କୌଣସି ସ୍କିଲ ସାର୍ଟିଫିକେଟ ବା ଆଇଟିଆଇ, ଡିପ୍ଲୋମା ବା ଡିଗ୍ରି ସାଟିଫିକେଟ୍ ଅଛି ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ନିମେନ୍ତ ଉକ୍ତ ମେଳାରେ ୧୦୦ରୁ ଅଧିକ କମ୍ପାନି ଯୋଗ ଦେଇଥିଲେ। ଏହି ଆପ୍ରେଣ୍ଟିସସିପ ମେଳାରେ ପ୍ରଶିକ୍ଷାର୍ଥୀମାନଙ୍କୁ ୱେଲ୍ଡର, ଇଲେକ୍ଟ୍ରିସିଆନ, ବ୍ୟୁଟିସିଆନ, ମେକାନିକ୍ ସମେତ ନିଜ ପସନ୍ଦ ଅନୁଯାୟୀ ବୃତ୍ତି ବାଛିବାକୁ ସୁଯୋଗ ଦିଆଯାଇଥିଲା।
ନିଯୁକ୍ତିଦାତାମାନେ ଉକ୍ତ ଜିଲ୍ଲାଗୁଡ଼ିକରୁ ଶିକ୍ଷାନବୀସମାନଙ୍କୁ ନିଯୁକ୍ତି ଲାଗି ବାଛିବା ଥିଲା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ତାଲିମ ଶେଷରେ ଶିକ୍ଷାନବୀସମାନଙ୍କୁ ନ୍ୟାସନାଲ କାଉନ୍ସିଲ ଫର୍ ଭୋକେସନାଲ ଏଜୁକେସନ ଆଣ୍ଡ୍ ଟ୍ରେନିଂ (ଏନ୍ସିଭିଇଟି) ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯିବ। ଏହା ସେମାନଙ୍କ ନିଯୁକ୍ତି ସମ୍ଭାବନାକୁ ବୃଦ୍ଧି କରିବ। ଉପଯୁକ୍ତ ତାଲିମ ପାଇବା ପରେ କିଛି ଯୁବକ ଉଦ୍ୟୋଗପତି ହେବାର ମଧ୍ୟ ପ୍ରେରଣା ପାଇବେ।
ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀସ ମେଳା ଉପରେ ମତ ଦେଇ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ତଥା ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ଅତୁଲ କୁମାର ତିୱାରୀ କହିଲେ ଯେ ଏହି ମେଳାର ଉଦ୍ଦେଶ୍ୟ ହେଉଛି ଶିକ୍ଷାଗତ ଯୋଗ୍ୟତା ଥିବା ଯୁବକଯୁବତୀଙ୍କୁ କଳକାରଖାନା ଆଦିରେ କାମ କରିବାର ବାସ୍ତବ ଅଭିଜ୍ଞତା ପ୍ରଦାନ କରିବା। ଏହା ସେମାନଙ୍କର ନିଯୁକ୍ତି ପାଇବା ସୁଯୋଗ ବୃଦ୍ଧି କରିବ। କୁଶଳୀ କାରିଗରଙ୍କ ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ଫାଙ୍କ ସ୍ଥାନକୁ ଏହା ପୂରଣ କରିବ।