କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା-ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଶ୍ନ ପଚାରି ଚର୍ଚ୍ଚାରେ ରହିଛନ୍ତି ଓଡ଼ିଶାର ଝିଅ ରାଜଲକ୍ଷ୍ମୀ ଆଚାର୍ଯ୍ୟ। କଟକ ଜିଲ୍ଲା ବାଙ୍କୀ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ରାଜଲକ୍ଷ୍ମୀ ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀଙ୍କୁ ସ‌ମ୍ବୋଧିତ କରି ପ୍ରଶ୍ନ ପଚାରିଥିଲେ। ରାଜଲକ୍ଷ୍ମୀଙ୍କର ପ୍ରଶ୍ନ ଥିଲା, ‘ପରୀକ୍ଷା ହଲରେ ଚାପମୁକ୍ତ ବା ମନକୁ ଥଣ୍ଡା ଓ ସ୍ଥିର ରଖିବା ପାଇଁ କହିବା ଅତି ସହଜ, କିନ୍ତୁ ପରୀକ୍ଷା ହଲରେ ପହଞ୍ଚିବାବେଳକୁ ସ୍ଥିତି କିନ୍ତୁ ଅଲଗା, ଏପଟ ସେପଟ ହେବନି, ସିଧା ଚାହିଁବ... ଏଭଳି ଅନେକ ପରାମର୍ଶ। ତେଣୁ ପରୀକ୍ଷା ହଲ୍‌ରେ କିପରି ଚାପ ମୁକ୍ତ ରହିବୁ?’ ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ହଲରେ ପ୍ରବେଶ ପରେ ନିଜ ଭିତରେ ହଜି ଯାଆନ୍ତୁ। ପରୀକ୍ଷା ଆରମ୍ଭ ପୂର୍ବରୁ ପାଖରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହୁଅନ୍ତୁ। ଆରାମରେ ପରୀକ୍ଷା ଦିଅନ୍ତୁ।

Advertisment

ପ୍ରଧାନମନ୍ତ୍ରୀ କହିଥିଲେ, କିଛି ସ୍ଥାନରେ ବାପା-ମା’ଙ୍କର ଅତ୍ୟଧିକ ଉତ୍ସାହ ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କୁ ଚାପଗ୍ରସ୍ତ କରାଏ। ସବୁ ଅବିଭାବକଙ୍କୁ ଅନୁରୋଧ, ପିଲାଙ୍କୁ ତାଙ୍କ ବାଟରେ ଛାଡି ଦିଅନ୍ତୁ। ପରୀକ୍ଷା ଦେବା ପାଇଁ ଯିବା ସମୟରେ ସେମାନେ ନୂଆ ଉତ୍ସାହ ଓ ଉଦ୍ଦୀପନା ନେଇ ଘରୁ ବାହାରନ୍ତୁ। ତାହେଲେ ସେମାନେ ପରୀକ୍ଷା ପାଇଁ ଚାପମୁକ୍ତ ରହି ପାରିବେ। ପରୀକ୍ଷା ବୋଲି କିଛି ଭିନ୍ନ କରିବାର କୌଣସି ଆବଶ୍ୟକତା ନାହିଁ। ପରୀକ୍ଷା ଆରମ୍ଭର ୧୦/୧୫ ମିନିଟ୍‌ ପୂର୍ବରୁ ପରୀକ୍ଷା କେନ୍ଦ୍ର ଖୋଲାଯାଇଥାଏ। ତେଣୁ ସେହି ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚନ୍ତୁ, ଆରାମରେ କେନ୍ଦ୍ରରେ ବସନ୍ତୁ। ଯଦି କିଛି ପୁରୁଣା ହସକଥା ଥିବ ତାକୁ ବି ମନେ ପକାଇ ହସନ୍ତୁ। ସାଙ୍ଗସାଥୀଙ୍କୁ ବି ଚୁଟକୁଲା ଶୁଣାଇ ଦିଅନ୍ତୁ। ଜୋରରେ ଶ୍ବାସ ନିଅନ୍ତୁ ଓ ଆରାମରେ ପରୀକ୍ଷା ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

କଟକ ଜିଲ୍ଲା ବାଙ୍କୀ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରାଜଲକ୍ଷ୍ମୀ ଗଲା ୨୫ ତାରିଖରୁ ଦିଲ୍ଲୀ ଯାଇଥିଲେ। ରାଜଲକ୍ଷ୍ମୀଙ୍କ ଘର ବାଙ୍କୀ ବ୍ଲକ୍‌ କଳାପଥର ଗ୍ରାମରେ। ବାପା ରାଧାଶ୍ୟାମ ଜଣେ ବ୍ୟବସାୟୀ ଓ ମା’ ଝୁନୁବାଳା ଜଣେ ଗୃହିଣୀ। ଦିନଟି ସେମାନଙ୍କ ପାଇଁ ଅଭୁଲା ହୋଇ ରହିବ ବୋଲି କହିଛନ୍ତି ମା’ ଝୁନୁବାଳା। ରାଜଲକ୍ଷ୍ମୀ କହିଛନ୍ତି ଯେ ସେମାନେ କଟକରୁ ଦୁଇ ଜଣ ଦିଲ୍ଲୀ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପରେ ଉତ୍ସାହ ଅନୁଭବ ହେଉଛି। ପରୀକ୍ଷା ପାଇଁ ବି ଆଉ ଡର ଲାଗୁନି।