ବ୍ରହ୍ମବରଦା : ରସୁଲପୁର ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ମୂଳାପାଳ ଛକକୁ ସଂଯୋଗ କରୁଥିବା ପ୍ରଥମାଖଣ୍ତିଠାରୁ ବନ୍ଧଡିହ ପର୍ଯ୍ୟନ୍ତ ୧୫ କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାର୍ଯ୍ୟ ଆରମ୍ଭ ହୋଇଛି। ଠିକାସଂସ୍ଥା ଗୌରବ କନ୍ଷ୍ଟ୍ରକସନ ଏହି କାମ କରୁଛି। ୪ ମାସ ହେଲା ବିନା ଫଳକରେ କାମ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ଆଜି ଅର୍ଥଙ୍ଗା ଗ୍ରାମରେ କାମ ଚାଲୁଥିବାବେଳେ ନିମ୍ନମାନର ଡଷ୍ଟ ଓ ମେଟାଲ ବ୍ୟବହାରକୁ ଗ୍ରାମବାସୀ ବିରୋଧ କରିଛନ୍ତି। ବାରମ୍ବାର କହିବା ପରେ ବି ଲୋକଙ୍କ କଥାକୁ ଠିକାଦାର ଗୁରୁତ୍ବ ଦେଉ ନଥିବା ତଥା ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ତଦାରଖ କରୁନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମର ବିଦ୍ୟାଧର କରଣ, ନିର୍ମଳ ନାୟକ, ମାଗୁଣୀ ମହାଳିକ, ନିରଂଜନ ନାୟକ, ସିପୁନ ଘଡ଼ାଇ, ତପନ ମହାଳିକ, ଦିଲୀପ ରାଉ ନିର୍ମାଣ କାମକୁ ବନ୍ଦ ରଖିଥିଲେ।
ଏହି ରାସ୍ତା ମଧ୍ୟଦେଇ ବ୍ରହ୍ମବରଦା, ଜନକ, ଅରେଇକଣା, ବାଲିଚନ୍ଦ୍ରପୁର, କେନ୍ଦ୍ରାପଡ଼ା ଯିବାକୁ ଲୋକମାନେ ନିର୍ଭର କରିଥାନ୍ତି। ଏହି ରାସ୍ତାର ପ୍ରଶସ୍ତୀକରଣ ପାଇଁ ଗତ ନଭେମ୍ବର ୧୨ ତାରିଖରେ ଶିଳାନ୍ୟାସ ହୋଇଥିଲା। ଏହି ୧୫.୩୦୦ କିମି ରାସ୍ତାର ଉନ୍ନତୀକରଣ ପାଇଁ ୧୦ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ୧୩.୮୨୪ କିମି ପିଚୁ ଓ ୧.୪୭୬ କିମି କଂକ୍ରିଟ କରାଯିବା ସହିତ ୪ ଟି କଲଭର୍ଟ ନିର୍ମାଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/berhmabarada-road.jpg)