ଭୁଲ ଅଟକଳ ଯୋଗୁଁ ଆଣ୍ଠେଇଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାମ

୪ ମାସର କାମକୁ ୧୮ମାସ ହେଲାଣି

ଘୁ.ଉଦୟଗିରି : ଭୁଲ ଅଟକଳ ଯୋଗୁଁ ଅଟକିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାମ। ମାତ୍ର ୪ ମାସର କାମକୁ ଏବେ ୧୮ ମାସ ପୂରିଥିଲେ ମଧ୍ୟ ନିର୍ମାଣ କାମ ସରିନାହିଁ।

କନ୍ଧମାଳ ଭଳି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବହୁ ରାସ୍ତା ନିର୍ମାଣ କାମ ଅଧପନ୍ତରିଆ ହୋଇ ରହିଥିବା ବେଳେ ଏବେ ଏଭଳି ଆଉ ଏକ ଅଭିଯୋଗର ନୂଆ ଫର୍ଦ୍ଦ ଯୋଡିହୋଇଛି। କାର୍ଯ୍ୟ କ୍ଷେତ୍ରକୁ ଭଲ ଭାବେ ଅନୁଧ୍ୟାନ ନ କରି ମନଇଚ୍ଛା ଅଟକଳ କରାଯାଉଥିବା ଯୋଗୁଁ ରାସ୍ତା କାମ ଆଗେଇପାରୁନାହିଁ। ଏଭଳି ଏକ ରାସ୍ତା କାର୍ଯ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରୀମାହା ପଂଚାୟତରେ। ପୂର୍ତ୍ତବିଭାଗ ରାସ୍ତା ଠାରୁ ବାଲୁମାହା ଗ୍ରାମ ମାତ୍ର ଦେଢ଼ କିମି. ରାସ୍ତାର ଅଟକଳ ମୂଲ୍ୟ ରହିଛି ୪୨ଲକ୍ଷ ୪୭ ହଜାର୧ ୯୨ ଟଙ୍କା। କାର୍ଯ୍ୟ ଆରମ୍ଭ ଦିବସ ଥିଲା ୨୦୧୯ ଜୁନ ୨୦ ଏବଂ କାର୍ଯ୍ୟ ଶେଷ ଦିବସ ରହିଥିଲା ୨୦୧୯ ଆକ୍ଟାବର ୧୯ ତାରିଖ। ହେଲେ ମାତ୍ର ୪ମାସର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସରିନି। କାର୍ଯ୍ୟ ନ ସରିବାର ମୁଖ୍ୟ କାରଣହେଲା ଭୁଲ ଅଟକଳ। ଦେଢ଼ କିମି. ସମତଳ ରାସ୍ତା ଭାବେ ଅଟକଳ କରାଯାଇଥିବା ବେଳେ କିଛି ରାସ୍ତା ପରେ ଏକ ବିରାଟ ପାହାଡ଼ ରହିଥିଲା। ଯାହାକୁ କାଟି ରାସ୍ତା ନିର୍ମାଣ ନିମନ୍ତେ ଅଟକଳ କରିବା କଥା। କିନ୍ତୁ ଏହା କରାନଯାଇ ବେପରୁଆ ଭାବେ ଅଟକଳ କରାଯାଇ ଟେଣ୍ଡର କରାଯାଇ କାର୍ଯ୍ୟ ନିମନ୍ତେ ଠିକାଦାରଙ୍କ ସହ ଚୁକ୍ତି କରିଦିଆଯାଇଥିଲା। ବର୍ତ୍ତମାନ ଠିକାଦାର କାମ କଲାବେଳେ ସମସ୍ୟା ଉପୁଜୁଛି। ତେଣୁ ରାସ୍ତକାମ ଅଧାରେ ଅଟକିଛି।

ତେବେ ଏହି କାର୍ଯ୍ୟର ଅଟକଳ ଏକ ବେସରକାରୀ ସଂସ୍ଥା ହାତରେ ଟେକି ଦିଆଯାଇଥିବା ସୂଚନା ମିଳିଛି। କାର୍ଯ୍ୟସ୍ଥଳକୁ ଯାଇ ଭଲଭାବେ ନଦେଖି ଭୁଲ ଅଟକଳ କରି ନିଜ ପାଉଣାକୁ ହାତେଇ ନିଜ କାର୍ଯ୍ୟ ସାରି ଦେଇଥିବା ବେସରକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏବଂ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ନକରି ବିଭାଗୀୟ ଅଧିକାରୀ ନିରବ ବସିଛନ୍ତି। ଏହି କାର୍ଯ୍ୟ କରୁଥିବା ଠିକାଦାର ଅଟକଳରେ ନଥିବା ପଥର ବ୍ଲାଷ୍ଟିଂ ଏବଂ ପଥରକଟା କାର୍ଯ୍ୟ ବି କିଛି କରି ନିଜ ପକେଟରୁ ୩ ଲକ୍ଷ ଟଙ୍କା ସାରିଥିବା କହିଛନ୍ତି। ତଥାପି କାର୍ଯ୍ୟ ଆଗେଇ ପାରୁନାହିଁ। ତେବେ ଏଠାରେ ଗୋଟିଏ କଥା ଉଠିଛି ସରକାର ରାସ୍ତା ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କଲେ। କିନ୍ତୁ ଯେମିତି ହେଉ କାମ କରି ଟଙ୍କା ସାରିବା ନ୍ୟାୟରେ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ଯେନତେନ ପ୍ରକାରେ ଟଙ୍କା ବ୍ୟୟ କରୁଛନ୍ତି। ଯାହାର ପରିଣତ ସ୍ବରୂପ ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର