ଝାରସୁଗୁଡ଼ା: ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଗସ୍ତରେ ଆସି ଯୁବ ସମାବେଶକୁ ସମ୍ବୋଧିତ କରିବେ। ଏହାର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ାରେ ପହଞ୍ଚି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଭାସ୍ଥଳ ନିର୍ମାଣରେ ରହିଥିବା କିଛି ତ୍ରୁଟିକୁ ଦେଖି କ୍ଷୋଭ ପ୍ରକାଶ କରିଥିଲେ ଓ ସେଗୁଡ଼ିକୁ ସୁଧାରିବାକୁ ପରାମର୍ଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିବା ସହ ଆସିବାକୁ ଥିବା ଲୋକେ ଯେଭଳି ସୁରୁଖୁରୁରେ କାର୍ଯ୍ୟକ୍ରମରେ ସାମିଲ୍ ହେବେ ସେ ନେଇ ଗୁରୁତ୍ବାରୋପ କରିଥିଲେ।
ଆଜି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରୁ ପଣ୍ଡରିପଥରସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଯାଇ ଉପସ୍ଥିତ ମନ୍ତ୍ରୀ, ବିଧାୟକ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିଲେ। ମନ୍ତ୍ରୀ ଓ ବିଧାୟକମାନଙ୍କୁ ଉକ୍ତ ବୈଠକରେ ଭିନ୍ନ ଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଛି। ଦଳୀୟ କର୍ମକର୍ତ୍ତାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରି କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କାମନା କରିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ଅମଲିପାଲିସ୍ଥିତ ପଡ଼ିଆରେ ପହଞ୍ଚିଥିଲେ। ସଭାସ୍ଥଳ ଟେଣ୍ଟରୁ ନେଇ ବାରିକେଡ୍ ଯାଏଁ ବୁଲି ଦେଖିଥିଲେ। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ହିଁ ରାତ୍ରିଯାପନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ରହିବେ ବୋଲି ସୂଚନା ମିଳିଛି। ଦଳୀୟ ନେତୃବୃନ୍ଦଙ୍କ ସହ ବୈଠକ ଓ ସଭାସ୍ଥଳ ସମୀକ୍ଷା ସମୟରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବିଧାୟକ ଟଙ୍କଧର ତ୍ରିପାଠୀ, ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଧାୟକ ଜୟନାରାୟଣ ମିଶ୍ର, ବିଜେପିର ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଉପସ୍ଥିତ ଥିଲେ। ଡିଜି ୱାଇ ବି ଖୁରାନିଆଙ୍କ ସମେତ ୧୦ରୁ ଅଧିକ ବରିଷ୍ଠ ଆଇପିଏସ୍, ରାଜ୍ୟ ସରକାରଙ୍କ ବିଭନ୍ନ ବିଭାଗ ଦାୟିତ୍ବରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/26/fhfshsfxbvbv-2025-09-26-01-50-32.jpg)