ପୁରୀରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ୍‌: ‘ପ୍ରଭୁଙ୍କ ଦର୍ଶନ ପାଇ କୃତାର୍ଥ ହେଲି’

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦା ବେନ୍‌ ଆଜି ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ କରିଛନ୍ତି। ଏହା ତାଙ୍କ ସୌଭାଗ୍ୟ ଓ ମହାପ୍ରଭୁଙ୍କ ଆଡ଼ପମଣ୍ଡପ ଦର୍ଶନ କରି ସେ କୃତାର୍ଥ ବୋଲି କହିଛନ୍ତି ଶ୍ରୀମତୀ ବେନ୍‌। ପରେ ଶ୍ରୀମନ୍ଦିର ଯାଇ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି।

ୱାର୍ଲଡ ଓଡ଼ିଶା ସୋସାଇଟି ପକ୍ଷରୁ ଆଜି ଶ୍ରୀମତୀ ବେନ୍‌ଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ୱାର୍ଲଡ ଓଡ଼ିଶା ସୋସାଇଟି ଅଧ୍ୟକ୍ଷ କିଶୋର ଦ୍ବିବେଦୀ କହିଛନ୍ତି, ଶ୍ରୀମତୀ ବେନ୍‌ ଜଣେ ଧର୍ମପରାୟଣା ମହିଳା। ସେ ଚାରିଧାମ ଦର୍ଶନର ଲକ୍ଷ୍ୟ ରଖିଛନ୍ତି। ଏହି ଉପଲକ୍ଷେ ସେ ତିନିଦିନ ତଳୁ ନିଜସ୍ବ ଗାଡ଼ିରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେ ଆହ୍ଲାବାଦରୁ ଗସ୍ତ ଆରମ୍ଭ କରିଥିଲେ। ପରେ ନାଗପୁର ବାଟଦେଇ ଭୁବନେଶ୍ବରରେ ପହଞ୍ଚିଥିଲେ। ତାଙ୍କ ଗସ୍ତ ପାଇଁ ଆହ୍ଲାବାଦ୍‌ରୁ ଏସ୍‌କର୍ଟ ବ୍ୟବସ୍ଥା କରାଯାଇଥିଲା। ଗତକାଲି ରାତିରେ ସେ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲେ ବି ପହୁଡ଼ ହୋଇଯାଇଥିବାରୁ ଦର୍ଶନ କରି ପାରିନଥିଲେ।

ରାତିରେ ସର୍କିଟ୍‌ ହାଉସରେ ରହିବାପରେ ଆଜି ସକାଳେ ସେ ପ୍ରଥମେ ମହାଦେବଙ୍କ ଦର୍ଶନ କରିଥିଲେ। ଭିଆଇପି ରୋଡ୍‌ ଅବକାରୀ ବାରାକ୍‌ଠାରେ ଥିବା ଶିବ ମନ୍ଦିରରେ ମହାଦେବଙ୍କ ଦର୍ଶନ କରିବାପରେ ସେ ପୂର୍ବାହ୍ନ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ସାଧାରଣ ଭକ୍ତଙ୍କ ଭଳି ଦର୍ଶନ ପାଇଁ ଯାଇଥିଲେ। ୧୧ଟାରେ ଦର୍ଶନ ସାରି ଫେରିବାବେଳେ ଆନନ୍ଦବଜାରରୁ ଶୁଖିଲା ମହାପ୍ରସାଦ କିଣିଥିଲେ। ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମହାଲକ୍ଷ୍ମୀଙ୍କ ସେବକ ଗଙ୍ଗାଧର ପ୍ରତିହାରୀ ତାଙ୍କୁ ମହାଲକ୍ଷ୍ମୀଙ୍କ ଦର୍ଶନ କରାଇବା ସହ ଅନ୍ୟାନ୍ୟ ମନ୍ଦିର ବୁଲାଇଥିଲେ।
ଶ୍ରୀମତୀ ବେନ୍‌ଙ୍କ ସହ ଭାଇ ଅଶୋକ ମୋଦୀ ଓ ଅନ୍ୟ ଭଉଣୀମାନେ ଶ୍ରୀମନ୍ଦିର ଯାଇ ଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର