ଦଶପଲ୍ଲା: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଦ୍ୟ ପର୍ବ ଆଜିଠାରୁ ଆରମ୍ଭ ହୋଇଛି। ମହାପ୍ରଭୂ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ ପାଇଁ ଶେଷ ହୋଇଛି ରଥକାଠ କାଟିବା ଅନୁକୂଳ ପୂଜା। ନୟାଗଡ ଜିଲ୍ଲା ଗଣିଆ ବଡମୂଳ ସ୍ଥିତ ବନଦେବୀ ମା’ ବଡରାଉଳ ଠାକୁରାଣୀଙ୍କ ପୀଠରେ ରୀତିନୀତି ଅନୁଯାୟୀ ଭବ୍ୟ ପୂଜାର୍ଚ୍ଚନା ଶେଷ ହୋଇଛି। ବଡ ଠାକୁରଙ୍କ ଆଜ୍ଞାମାଳ, ମାହାର୍ଦ୍ଦ ଓ ଲାଗି ଖଣ୍ତୁଆ ପହଁଚିବା ପରେ ପରମ୍ପରା ଅନୁଯାୟୀ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଛି। ହୋମଯଜ୍ଞ ସହ ଠାକୁରାଣୀଙ୍କ ପାଖରେ ନାନାଦି ଭୋଗ ଓ ନୈବେଦ୍ୟ ଲାଗି କରାଯାଇଛି।
/sambad/media/post_attachments/wp-content/uploads/2022/12/7-20.jpg)
ଶେଷରେ ମା’ଙ୍କୁ କାଠ କାଟିବା ପାଇଁ ଅନୁମତି ମାଗି ପ୍ରତିନିଧି ଦଳ ଶ୍ରୀକ୍ଷେତ୍ର ଅଭିମୁଖେ ଫେରି ଯାଇଛନ୍ତି। ଗତକାଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ତତ୍ତାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବିଭୋଇ ପ୍ରମୁଖ ବଡ ଠାକୁରଙ୍କ ଆଜ୍ଞାମାଳ, ମାହାର୍ଦ୍ଦ, ପାଟପତନି, ଖଣ୍ତୁଆପାଟ, ମହାପ୍ରସାଦ, ଫୁଲମାଳ ଓ ଧୂପଦୀପ ଧରି ନୟାଗଡରେ ପହଁଚିଥିଲେ। ଆଜି ମଧ୍ୟାହ୍ଣ ପ୍ରାୟ ସାଢେ ୧୨ଟା ସମୟରେ ଏହି ପ୍ରତିନିଧି ଦଳ ବନଦେବୀ ମା’ ବଡରାଉଳଙ୍କ ପୀଠରେ ପହଁଚିବା ପରେ ବନଖଣ୍ତ ଅଧିକାରୀ କ୍ଷମା ଷଡଙ୍ଗୀଙ୍କୁ ଏହା ଅର୍ପଣ କରିଥିଲେ। ପରେ ଏକ ପଟୁଆରରେ ମା’ଙ୍କ ନିକଟକୁ ପାଛୋଟି ନିଆଯାଇଥିଲା। ପୂଜକ ପ୍ରସନ୍ନ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହେବାସହ ମା’ଙ୍କ ନିକଟରେ ଆଜ୍ଞାମାଳ ଲାଗି କରାଯାଇଥିଲା। ବନଖଣ୍ତ ଅଧିକାରୀ କ୍ଷମା ଷଡଙ୍ଗୀଙ୍କ ସମେତ ଦଶପଲ୍ଲା ବନାଚଂଳ ଅଧିକାରୀ ନିଖ୍ଲେଶ ମଲିକ ହୋମରେ କର୍ତ୍ତାଭାବେ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2022/12/6-20.jpg)
ଆବାହମାନ କାଳରୁ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ପୂର୍ବରୁ ନୟାଗଡ ବନଖଣ୍ତ ଅଧିନସ୍ଥ ଦଶପଲ୍ଲା ବନାଚଂଳରୁ ରଥକାଠ କାଟିବା ପାଇଁ ମା’ଙ୍କ ଅନୁମତି ମଗାଯାଇଥାଏ। ଏହାପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଜଙ୍ଗଲରୁ କାଠ କଟାଯାଇଥାଏ। ଶ୍ରୀ ପଂଚମୀ ପୂର୍ବରୁ ରଥଖଳାରେ ପ୍ରଥମ ପର୍ଯ୍ୟାୟ କାଠ ପହଁଚିବାର ନିୟମ ଥିବାବେଳେ ଅକ୍ଷୟ ତୃତୀୟା ତିଥି ପୂର୍ବରୁ ସମସ୍ତ କାଠ ପହଁଚିବାର ନିୟମ ରହିଛି। ୩ ରଥ ନିର୍ମାଣ ପାଇଁ ମୋଟ ୮ ଶହ ୬୫ ଖଣ୍ତ କାଠ ଆବଶ୍ୟକତା ରହିଥାଏ। ପୂର୍ବବର୍ଷ ୧୧୮ ଖଣ୍ତ କାଠ ବଳକା ଥିବାବେଳେ ଅବଶିଷ୍ଠ ୭ ଶହ ୪୭ଖଣ୍ତ କାଠ ଆବଶ୍ୟକ ଥିବା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରାଦ ହୋଇଛି। ତେବେ ଦଶପଲ୍ଲା ବନାଚଂଳର ଚଡେୟାପଲ୍ଲୀ ଓ ପୋଖରୀଗୋଛା ସେକ୍ସନ ଅଂଚଳରୁ ୧୯୦ ଖଣ୍ତ ଅସନ ଓ ଧଉରା କାଠ ଯୋଗାଇ ଦିଆଯିବା ପାଇଁ ଚିହ୍ନଟ ହୋଇଥିବା ବନାଚଂଳ ଅଧିକାରୀ ଶ୍ରୀ ମଲିକ କହିଛନ୍ତି। ଜଗନ୍ନାଥ ଦଳର ମାର୍ଗ ଦର୍ଶକ ସନ୍ତ୍ର ସେବକ ଭକ୍ତ ପ୍ରଭୂଜୀ ଲଳିତ ଦାସ, କୃଷ୍ଣ ମହାରାଜା, ଭଷ୍କର ଦାସଙ୍କ ସମେତ ସାତଖଣ୍ତ, ଟାକରା, ତିଳାବାଡି, ଗୋଛାବାରୀ ଗ୍ରାମର ନାମ ସଂକୀର୍ତନ ମଣ୍ତଳୀ ପକ୍ଷରୁ ଏହି ପ୍ରତିନିଧି ଦଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍ ଶ୍ବେତଲୀନା ସାହୁ, ଗଣିଆ ବନାଚଂଳ ଅଧିକାରୀ ସୋନାଲି ସିଓ, ମହିପୁର ବନାଚଂଳ ଅଧିକାରୀ ଅମ୍ରିତ୍ ସାହୁ, ଓଡଗାଁ ବନାଚଂଳ ଅଧିକାରୀ ଆଶିଷ କୁମାର କହଁର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/8-25.jpg)