ପ୍ରମୁଖ ଶାସନ ସଚିବଙ୍କ କାଲିମେଳା ଗସ୍ତ, ଯାଞ୍ଚ କଲେ ଟଙ୍କିକିଆ ଚାଉଳର ମାନ

କାଲିମେଳା: ରାଜ୍ୟ ସରକାରଙ୍କ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଢ଼ା ଆଜି ଦିନିକିଆ କାଲିମେଳା ବ୍ଲକ ଗସ୍ତ କରିଛନ୍ତି। ଶ୍ରୀ ଚଢ଼ା ପ୍ରଥମେ ବଦିଲି ପଂଚାୟତ ଅନ୍ତର୍ଗତ ଏମଭି-୩୯ ଗ୍ରାମରେ ଜୟ ମା କାଳୀ ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଧୂପକାଠି ଉଦ୍ୟୋଗ ପରିଦର୍ଶନ କରିଥିଲେ । ମହିଳାମାନେ ଓଡ଼ିଶା ଜୀବିକା ମିଶନ ସହାୟତାରେ ଏହି ଉଦ୍ୟୋଗକୁ ଆରମ୍ଭ କରି ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଥିବାର ଜାଣି ସେ ଖୁସିବ୍ୟକ୍ତ କରିଥିଲେ । ଏହାପରେ ସଦରମହକୁମାରେ ଥିବା ୫ଟି ହାଇସ୍କୁଲ ପରିଦର୍ଶନ କରିଥିବାର ଜଣାପଡ଼ିଛି ।

ଶ୍ରୀ ଚଢ଼ା ଦିନ ୧୨ଟା ସମୟରେ ହାଇସ୍କୁଲରେ ପହଁଚିବାପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି ହାଇସ୍କୁଲକୁ ରାଜ୍ୟ ସରକାର ୫ଟିରେ ରୂପାନ୍ତରିତ କରଣ କରିବାପରେ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବଙ୍କ ଏହା ହେଉଛି ପ୍ରଥମ ଗସ୍ତ । ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ପାଠାଗାର ଓ ସାଇନ୍ସ ପାର୍କ ବୁଲି ଦେଖିଥିଲେ । ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସେ ଅଚାନକ କାଲିମେଳା ପଂଚାୟତ କାର୍ଯ୍ୟାଳୟକୁ ଯାଇ ସାଧାରଣ ବଂଟନ ବ୍ୟବସ୍ଥାରେ ହିତାଧିକାରୀମାନଙ୍କୁ ଦିଆଯାଉଥିବା ଟଙ୍କିକିଆ ଚାଉଳର ମାନ ଯାଂଚ କରିଥିଲେ । ଭିଟାମିନଯୁକ୍ତ ଚାଉଳ ଦିଆଯାଉଛି କି ନାହିଁ ସେ ନିଜେ ପରଖିଥିଲେ ।

ସେହିପରି ଚାଉଳ ଗୋଦାମକୁ ଯାଇ ହିତାଧିକାରୀମାନଙ୍କୁ ଭିଟାମିନଯୁକ୍ତ ଚାଉଳ ଦିଆଯାଉଛି କି ନାହିଁ ତାହା ମଧ୍ୟ ପରଖିଥିଲେ। ତେବେ ଆଗାମୀ ଦିନରେ ଚାଉଳର ମାନ ଯାଂଚ କରିବାକୁ ଯୋଗାଣ ବିଭାଗ ବଦଳରେ ଜିଲ୍ଲା ପ୍ରଶାସନ କରିବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଯାହା ଫଳରେ ମିଲର ମାନେ ଯୋଗାଇଦେଉଥିବା ଚାଉଳର ମାନ ଠିକ ଅଛିକି ନାହିଁ ତାହା ଜଣାପଡ଼ିବ ବୋଲି ଶ୍ରୀଯୁକ୍ତ ଚଢ଼ା ନିଜର ମନ୍ତବ୍ୟ ରଖିଥିଲେ । ଏଥି ସହିତ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ସାଥୀ ଗୃହ ଓ ମିଶନଶକ୍ତି ର ନୂତନ ଗୃହ ପରିଦର୍ଶନ କରିଥିଲେ ।

ସେହିପରି ଏମଭି-୯୦ ଗ୍ରାମରେ ଦକ୍ଷତା ବିକାଶ କେନ୍ଦ୍ରରେ ଟସର ସୂତା ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ । ସେହିପରି ତେଲରାଇ ପଂଚାୟତ ଅନ୍ତର୍ଗତ ଏମପିଭି-୭୭ ଗ୍ରାମରେ ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ୱାରା ପାନ ବରଜ ମଧ୍ୟ ପରିଦର୍ଶନ କରିଥିଲେ । ପାନ ବରଜ ଦେଖି ବେଶ ଖୁସି ହୋଇଯାଇଥିଲେ ଶାସନ ସଚିବ ଓ ଜିଲ୍ଲାପାଳ । ପ୍ରମୁଖ ଶାସନ ସଚିବଙ୍କ ସହିତ ଜିଲ୍ଲାପାଳ ବିଶାଲ ସିଂ,ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ, କାଲିମେଳା ବିଡ଼ିଓ,ଓଡ଼ିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ପବିତ୍ର ମୋହନ ବାରା ପ୍ରମୁଖ ଏଥିରେ ସାମିଲ ଥିଲେ ।

ସମ୍ବନ୍ଧିତ ଖବର