ମାତୃଭାଷାକୁ ପ୍ରାଧାନ୍ୟ ଦିଅନ୍ତୁ ନ୍ୟାୟିକ ସେବା ଶିକ୍ଷାନବିସ

ଭୁବନେଶ୍ବର : ଜନସାଧାରଣଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ଗଣତନ୍ତ୍ରର ପ୍ରଧାନ ଆଭିମୁଖ୍ୟ। ଆଇନର ଲକ୍ଷ୍ମଣରେଖା ଭିତରେ ରହି ମାମଲାରେ ସଂପୃକ୍ତ ଉଭୟ ପକ୍ଷଙ୍କୁ ସମଦୃଷ୍ଟିରେ ଦେଖି ନ୍ୟାୟ ପ୍ରଦାନ କରାଯିବା ଉଚିତ୍ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ନବାଗତ ନ୍ୟାୟିକ ସେବା ଶିକ୍ଷାନବିସଙ୍କ ସହିତ ପ୍ରତ୍ୟକ୍ଷ ପରିଚୟ ଉଦ୍ଦେଶ୍ୟରେ ରାଜ୍ୟ ବିଧାନସଭାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦ୍‌ଘାଟନ କରି ଶ୍ରୀ ପାତ୍ର କହିଥିଲେ, ଶିକ୍ଷାନବିସମାନେ ମାତୃଭାଷାକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ରାଜ୍ୟର ୯୦ ପ୍ରତିଶତ ମୁଦାଲା ଓ ଆଇନଜୀବୀ ମାତୃଭାଷା ଓଡ଼ିଆରେ କଥାବାର୍ତା ହୁଅନ୍ତି। ପ୍ରତି ଦେଶରେ ସାମାଜିକ ବିଧିବ୍ୟବସ୍ଥା ଓ ଆବଶ୍ୟତାକୁ ନେଇ ଆଇନ ପ୍ରଣୟନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଶିକ୍ଷାନବିସମାନେ ଗୁରୁତ୍ବର ସହ କାର୍ଯ୍ୟ କରିବା ଉଚିତ ବୋଲି ବାଚସ୍ପତି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଲେ, ବିଧିପାଳିକା ଦ୍ବାରା ବିଭିନ୍ନ ଆଇନକୁ କାର୍ଯ୍ୟପାଳିକା କାର୍ଯ୍ୟକାରୀ କରିଥାଏ। ଶିକ୍ଷାନବିସମାନେ ସ୍ବାଧୀନ ଓ ନିରପେକ୍ଷ ଭାବେ ନ୍ୟାୟ ବ୍ୟବସ୍ଥାକୁ ଦୃଢ଼ କରିବା ଉପରେ ଗୁରୁତ୍ବ ଦେବା ଜରୁରୀ ବୋଲି ଶ୍ରୀ ଜେନା କହିଥିଲେ। ଉପ ବାଚସ୍ପତି ରଜନୀକାନ୍ତ ସିଂହ ଉପସ୍ଥିତ ଥିଲେ। ବିଧାନସଭାର ସଚିବ ଦାଶରଥୀ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦେଶକ(ଗବେଷଣା) ବିଜୟ ସାହୁ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ। ଉପ ଶାସନ ସଚିବ ଶିଶିର କାନ୍ତ ସ୍ବାଇଁ ଧନ୍ୟବାଦ ଦେଇଥିଲେ। ୪୬ଜଣ ନବାଗତ ନ୍ୟାୟିକ ସେବା ଶିକ୍ଷାନବିସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର