ଭୁବନେଶ୍ବର: ଆଜି ଠାରୁ ଭୁବନେଶ୍ବରରେ ୫୯ତମ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଆରମ୍ଭ ହୋଇଛି। ଲୋକସେବା ଭବନ କନ୍ଭେନସନ୍ ସେଣ୍ଟର୍ରେ ଆୟୋଜିତ ଏହି ସମ୍ମିଳନୀକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍ଘାଟନ କରିଛନ୍ତି। ଦେଶର ପୂର୍ବ ସୀମାରେ ମୁଣ୍ଡ ଟେକୁଥିବା ନୂଆ ନୂଆ ସୁରକ୍ଷାଜନିତ ଆହ୍ବାନ ସମେତ ଆପ୍ରବାସନ ଓ ସହରୀ ପୁଲିସିଂ ଟ୍ରେଣ୍ଡ୍ ଭଳି ବିଷୟଗୁଡ଼ିକ ଉପରେ ଦେଶର ପୁଲିସ ବ୍ୟବସ୍ଥା ଧ୍ୟାନ ଦେବାକୁ ସେ ଆହ୍ବାନ ଦେଇଛନ୍ତି। ଦେଶରେ ଶୂନ୍ୟ ସହନଶୀଳ ନୀତିକୁ କାର୍ଯ୍ୟକାରୀ କରିବା ଲାଗି ଶୂନ୍ୟ ସହନଶୀଳ ରଣନୀତି ଏବଂ ଶୂନ୍ୟ ସହନଶୀଳ କାର୍ଯ୍ୟ ଦିଗରେ ପଦକ୍ଷେପ ନେବାକୁ ହେବ ବୋଲି ସେ କହିଛନ୍ତି। ଦେଶରେ ୨୦୨୪ ସାଧାରଣ ନିର୍ବାଚନ ସୁରୁଖୁରୁରେ ସଂପାଦନ ହେବା ସହିତ ୩ଟି ନୂଆ ଆପରାଧିକ ଆଇନକୁ ଭଲରେ କାର୍ଯ୍ୟକାରୀ କରାଯାଇଥିବାରୁ ଶ୍ରୀ ଶାହ ପୁଲିସ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଜମ୍ମୁ କଶ୍ମୀର, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମେତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟଗୁଡ଼ିକରେ ସୁରକ୍ଷା ସ୍ଥିତିରେ ଉନ୍ନତି ଆସିଥିବାରୁ ସ୍ବରାଷ୍ଟ୍ର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶରେ କାର୍ଯ୍ୟକାରୀ ହୋଇଥିବା ୩ ଆପରାଧିକ ଆଇନ ଆପରାଧିକ ନ୍ୟାୟ ବ୍ୟବସ୍ଥାର ସଂସ୍କୃତିରେ ପରିବର୍ତ୍ତନ ଆଣିଛି। ଦେଶର ନ୍ୟାୟ ପ୍ରଦାନ ବ୍ୟବସ୍ଥା ଦଣ୍ଡ-କେନ୍ଦ୍ରିତ ପରିବର୍ତ୍ତେ ନ୍ୟାୟ-କେନ୍ଦ୍ରିତ ହୋଇଛି। ଏହି ନୂଆ ନୂଆ ଆଇନର ମୂଳ ଭାବନା ଭାରତୀୟ ପରମ୍ପରା ଦ୍ବାରା ଅନୁପ୍ରାଣିତ ବୋଲି ଗୃହମନ୍ତ୍ରୀ କହିଛନ୍ତି। ଏଥିସହିତ ୨୦୪୭ ମସିହା ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଏବଂ ୨୦୨୭ ମସିହା ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବା ଅଭିଳାଷକୁ ପୂରଣ କରିବା କ୍ଷେତ୍ରରେ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି।
ଏହି ସମ୍ମିଳନୀରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଦେଶର ବର୍ତ୍ତମାନ ଓ ଭବିଷ୍ୟତର ସୁରକ୍ଷା ପ୍ରତି ରହିଥିବା ଆହ୍ବାନଗୁଡ଼ିକୁ ମୁକାବିଲା ପାଇଁ ମାନସମନ୍ଥନ କରି ନକ୍ସା ପ୍ରସ୍ତୁତ କରିବେ। ଏହି ଆହ୍ବାନଗୁଡ଼ିକ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ କାରବାର, ସାଇବର ଅପରାଧ ଏବଂ ଅର୍ଥନୈତିକ ସୁରକ୍ଷା ଆଦି ଅନ୍ୟତମ। ନୂଆ ଆପରାଧିକ ଆଇନ କାର୍ଯ୍ୟକାରିତାରେ ହୋଇଥିବା ଅଗ୍ରଗତି ସମେତ ପୁଲିସ ବ୍ୟବସ୍ଥାରେ ଗ୍ରହଣ କରାଯାଉଥିବା ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଆଦିର ସମୀକ୍ଷା ଆଗାମୀ ଦୁଇ ଦିନରେ କରାଯିବ। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଗୁଇନ୍ଦା ବ୍ୟୁରୋର ଦକ୍ଷ ଅଧିକାରୀମାନଙ୍କୁ ପୁଲିସ ମେଡାଲ ପ୍ରଦାନ କରିଥିଲେ। ଏଥି ସହିତ ଗୃହ ମନ୍ତ୍ରାଳୟ ଦ୍ବାରା ୨୦୨୪ରେ ଥାନାଗୁଡ଼ିକର ରୢାଙ୍କିଂ ଉପରେ ପ୍ରସ୍ତୁତ ପୁସ୍ତକର ଉନ୍ମୋଚନ କରିଥିଲେ। ୩ଟି ସର୍ବୋତ୍କୃଷ୍ଟ ଥାନାକୁ ମଧ୍ୟ ଗୃହମନ୍ତ୍ରୀ ଟ୍ରଫି ପ୍ରଦାନ କରିଥିଲେ। ସମ୍ମିଳନୀର ଦ୍ବିତୀୟ ଓ ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ।
୭ ଘଣ୍ଟା ଧରି ହେଲା ମାନସମନ୍ଥନ, ଭୁବନେଶ୍ବରରେ ୫୯ତମ ପୁଲିସ ଡିଜି, ଆଇଜି ସମ୍ମିଳନୀ ଆରମ୍ଭ
ହାଇବ୍ରିଡ୍ ମୋଡ୍ରେ ଏହି ସମ୍ମିଳନୀ ହେଉଛି। ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକ ଓ ପୁଲିସ ଆଇଜିଙ୍କ ସମେତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍), କେନ୍ଦ୍ରୀୟ ପୁଲିସ ସଂଗଠନ (ସିପିଓ)ର ଅଧିକାରୀମାନଙ୍କ ମଧ୍ୟରୁ ଅନେକ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇଥିବାବେଳେ କିଛି ଅଧିକାରୀ ଆଭାସୀ ମାଧ୍ୟମରେ ସାମିଲ ହୋଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ବି ସଞ୍ଜୟ କୁମାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଓ ସ୍ବରାଷ୍ଟ୍ର ସଚିବ ଯୋଗ ଦେଇ ପୁଲିସର ମନୋବଳ ବୃଦ୍ଧି କରିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ୍ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ସିଧାସଳଖ କଡ଼ା ସୁରକ୍ଷା ବଳୟ ଭିତରେ ସମ୍ମିଳନୀ ସ୍ଥଳକୁ ଯାଇଥିଲେ। ଏହାର କିଛି ସମୟ ପରେ ଅର୍ଥାତ୍ ଅପରାହ୍ଣ ପ୍ରାୟ ୧ଟା ୧୫ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରୋଟୋକଲ୍ ଅନୁସାରେ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଏହାପରେ ତାଙ୍କ କାର୍କେଡ୍ ସିଧା ଲୋକସେବା ଭବନର ସମ୍ମିଳନୀ ସ୍ଥଳକୁ ଯାଇଥିଲା।