ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ରହିଛି। ଚାଷୀଙ୍କ ଟୋକନ୍‌ ଅବଧି ଶେଷ ହୋଇଯାଇଥିବାରୁ ସେମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଏଭଳି ଅନେକ ଅଭିଯୋଗ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚୁଛି। ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁବାର ଓ ଶୁକ୍ରବାର ବୈଠକ ଅନୁଷ୍ଠିତ ହୋଇଛି। ଧାନ ବିକ୍ରି କରିପାରି ନଥିବା ପ୍ରକୃତ ଚାଷୀଙ୍କଠାରୁ ଧାନ କିଣା ହେବା ବିଷୟରେ ନିଷ୍ପତ୍ତି ହୋଇଛି। ଏ ନେଇ ଉପଜିଲ୍ଲାପାଳ ଅଶ୍ବିନୀ ମେହେର ବିଜ୍ଞପ୍ତି ଜାରି କରିଛନ୍ତି।

Advertisment

ତହସିଲଦାର, ଅତିରିକ୍ତ ତହସିଲଦାର ଓ ପ୍ରଶାସକ ତଥା ସମବାୟ ସମିତିଙ୍କ ଯୁଗ୍ମ ଦସ୍ତଖତରେ ଦିଆଯାଇଥିବା ଟୋକନକୁ କେବଳ ବୈଧ ଧରାଯିବ, ବିନା ବୈଧ ଟୋକନରେ ମଣ୍ଡିକୁ ଆସିଥିବା ଧାନ ଜବତ କରାଯିବ। ସଂପୃକ୍ତ ପେକ୍ସର ଧାର୍ଯ୍ୟ ଧାନ ସଂଗ୍ରହ ଲକ୍ଷ୍ୟ, ଦୈନିକ ବ୍ୟବହାରିକ କ୍ଷମତା, ଧାନ ବୋହିବା ପାଇଁ ଟ୍ରକ୍‌ର ଉପଲବ୍‌ଧତାକୁ ନେଇ ନିୟନ୍ତ୍ରିତ ପରିମାଣରେ ଟୋକନ ନିର୍ଗତ କରାଯିବ। ଧାନ କ୍ରୟ କମିଟିର ଦୁଇ ଜଣ ସଦସ୍ୟଙ୍କୁ ନେଇ ଗଠିତ ଯାଞ୍ଚ କମିଟି ଚାଷୀଙ୍କ ଘରକୁ ଯାଇ ଉପଲବ୍‌ଧ ପରିମାଣର ଧାନ ଯାଞ୍ଚ କରି ରିପୋର୍ଟ ଦେବେ। ଏଥି ସହିତ ଯୁଗ୍ମ ଦସ୍ତଖତ ଥାଇ ସଂପୃକ୍ତ ଅଧିକାରୀ ଟୋକନ ଦେବେ। ଆଦୌ ଧାନ ବିକ୍ରି କରି ନଥିବା ଚାଷୀଙ୍କୁ ପ୍ରାଥମିକତା ଦିଆଯିବ। ପେକ୍‌ସ/ଆରଏମସି କର୍ମଚାରୀଙ୍କ ଦ୍ବାରା ଚାଷୀଙ୍କ ଉପସ୍ଥିତିରେ ଧାନର ଏଫଏକ୍ୟୁ ମାନ ନିର୍ଦ୍ଧାରଣ କରାଯିବ। ଅବୈଧ ଭାବରେ ଗଚ୍ଛିତ ଥିବା ଧାନ ଓ ଅନ୍ୟ ଜିଲ୍ଲାରୁ ବେଆଇନ ପ୍ରବେଶ କରୁଥିବା ଧାନ ଜବତ କରାଯିବ। ଯଦି କୌଣସି ବ୍ୟକ୍ତିଙ୍କ ବିରୋଧରେ ଅବୈଧ ଭାବରେ ଧାନକିଣା ନେଇ ଅଭିଯୋଗ ଆସେ ତାଙ୍କ ବିରୋଧରେ ଯାଞ୍ଚ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।