କଟକ : ଜାମିନଦାର ଏବଂ ସିକ୍ୟୁରିଟି ଜମା ଦାଖଲ କରିପାରୁ ନଥିବାରୁ ଜାମିନ ପାଇ ବି ଜେଲ୍‌ରୁ ମୁକୁଳି ପାରୁନାହାନ୍ତି ୨୩୯ ଜଣ କଏଦୀ। ରାଜ୍ୟର ବିଭିନ୍ନ ଜେଲ୍‌ରେ ଏବେ ସେମାନେ ମୁକୁଳିବା ଅପେକ୍ଷାରେ ରହିଛନ୍ତି। ତଥ୍ୟ ଅନୁଯାୟୀ, ରାଜ୍ୟର ବିଭିନ୍ନ ଜେଲ୍‌ରେ ମୋଟ ୫୦୨ ବିଚାରାଧୀନ କଏଦୀଙ୍କ ଜାମିନ୍ ୟୁଟିଆରସି (ଅଣ୍ଡର ଟ୍ରାଏଲ ରିଭିଉ କମିଟି)ରେ ବିଚାର କରାଯାଇ ସେମାନଙ୍କ ମଧ୍ୟରୁ ୪୭୮ ଜଣଙ୍କ ଜାମିନ ମଞ୍ଜୁର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୮୮ ଜଣ ଜେଲ୍‌ରୁ ଖଲାସ ହୋଇଥିବା ବେଳେ ୨୯୦ ଜଣ କଏଦୀ ଏବେ ବି ଜେଲ୍‌ରେ ଅଛନ୍ତି। ସେହି ୨୯୦ ଜଣଙ୍କ ମଧ୍ୟରୁ ୨୩୯ ଜଣ କେବଳ ବେଲ୍‌ବଣ୍ଡ, ଜାମିନଦାର୍ ଯୋଗାଡ଼ କରିପାରୁନଥିବାରୁ ଜେଲ୍‌ରେ ଶଢ଼ୁଛନ୍ତି। ଅଦାଲତର ସର୍ତ୍ତ ଅନୁଯାୟୀ, ଆର୍ଥିକ ଦୁର୍ବଳ ବର୍ଗର ଏହି କଏଦୀମାନେ ଜାମିନଦାର୍ ଅଥବା ସିକ୍ୟୁରିଟି ଜମା ଅର୍ଥ ଯୋଗାଡ଼ କରିପାରୁନାହାନ୍ତି। ତେଣୁ ଜେଲ୍‌ରୁ ମୁକୁଳିବା ବାଟ ସେମାନଙ୍କ ପାଇଁ ବନ୍ଦ ହୋଇରହିଛି। ଅନ୍ୟ କାରଣରୁ ୫୧ ଜଣ କଏଦୀ ଜ‌ାମିନ୍ ପାଇ ବି ଜେଲ୍‌ରୁ ମୁକୁଳି ପାରୁନାହାନ୍ତି।

Advertisment

publive-image livemint.com

ରାଜ୍ୟ ଜେଲ୍ ବିଭାଗର ତଥ୍ୟ ଅନୁଯାୟୀ, ଏପ୍ରିଲ ୩୦ ତାରିଖ ସୁଦ୍ଧା ରାଜ୍ୟରେ ବିଭିନ୍ନ ଜେଲ୍‌ର ମୋଟ କ୍ଷମତା ୨୧ ହଜାର ୫୧୫ ଥିବା ବେଳେ ୧୯ ହଜାର ୯୫୯ ଜଣ କଏଦୀ ଅଛନ୍ତି। କିନ୍ତୁ ଭଦ୍ରକ ସ୍ବତନ୍ତ୍ର ଉପକାରାଗାର, କାମାକ୍ଷାନଗର ଉପକାରାଗାର, ବାଲିଗୁଡ଼ା ଉପ କାରାଗାର, ଯାଜପୁର ଉପକାରାଗାର, ମାଲକାନଗିରି, ଫୁଲବାଣୀ ଇତ୍ୟାଦି ଭଳି ଜେଲ୍‌ରେ ସ୍ଥିତି ସଂଗିନ ହୋଇପଡ଼ିଛି। କ୍ଷମତାଠାରୁ ଦୁଇ ଗୁଣା ଅଧିକ କଏଦୀ ଏହି ଜେଲରେ ଅଛନ୍ତି। ଚଳିତବର୍ଷ ଜାନୁଆରି ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ଯାଏ ଜିଲ୍ଲା ସ୍ତରରେ ଥିବା ଆଇନସେବା ପ୍ରାଧିକରଣ(ଡିଏଲଏସ୍) ପକ୍ଷରୁ ୟୁଟିଆରସି(ଅଣ୍ଡର ଟ୍ରାଏଲ ରିଭିଉ କମିଟି) ମିଟିଂ ଅନୁଷ୍ଠିତ ହୋଇଥିଲା। ଏହି କମିଟିରେ ଜାମିନ ଯୋଗ୍ୟ ଦଫା ଅର୍ଥାତ ସିଆରପିସିର ଧାରା ୪୩୬(ଏ) ରେ ୫ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଜାମିନ ମଞ୍ଜୁର ହୋଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ଖଲାସ ହୋଇଥିବାବେଳେ ଜଣେ ଜେଲ୍‌ରେ ଅଛନ୍ତି। ଅନ୍ୟପଟେ ୪୨୦ ଜଣ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୩୯୮ ଜଣଙ୍କ ଜାମିନ ମଞ୍ଜୁର ହୋଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୧୫୯ ଜଣ ଜାମିନରେ ଖଲାସ ହୋଇଥିବା ବେଳେ ଆହୁରି ୨୩୯ ଜଣ କଏଦୀ ମୁକୁଳିପାରି ନାହାନ୍ତି। ନିର୍ଦ୍ଦିଷ୍ଟ ଭାବେ ଏହି କଏଦୀମାନଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ଏମାନେ ବେଲ୍ ବଣ୍ଡ ଦେଇ ନପାରି ଜେଲ୍‌ରେ ଶଢ଼ୁଛନ୍ତି। ସେହିଭଳି ସାଲିସ୍ଯୋଗ୍ୟ ଦଫାରେ ୭୭ ଜଣଙ୍କ ମଧ୍ୟରୁ ୭୫ ଜଣ ଜାମିନ ମଞ୍ଜୁର ହୋଇଛି। କିନ୍ତୁ ୨୫ ଜଣ ଖଲାସ ହୋଇଥିବା ବେଳେ ଆହୁରି ୫୦ ଜଣ ଜେଲ୍‌ରେ ଅଛନ୍ତି।

publive-image International Adviser

ଜଣେ ଅଭିଯୁକ୍ତ ରାଜ୍ୟ ବାହାରର ହୋଇଥିଲେ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଜାମିନରେ ଯିବାକୁ ହେଲେ ସ୍ଥାନୀୟ ଜାମିନଦାର ଯୋଗାଡ଼ କରିବାରେ ସମସ୍ୟା ହେଉଛି। ଅଧିକାଂଶ କ୍ଷେତ୍ରରେ କୋର୍ଟର ସର୍ତ୍ତ ଅନୁଯାୟୀ ବେଲ୍ ବଣ୍ଡ ବାବଦ ଅର୍ଥରାଶି ଜାମିନଦାର ଦେବାରେ ସମର୍ଥ ହୋଇପାରୁ ନାହାନ୍ତି। ଏହି ଅର୍ଥରାଶି ବଦଳରେ ସମାନ ମୂଲ୍ୟର ଜମିର ପଟ୍ଟା, ପାଉତି କୋର୍ଟରେ ଦାଖଲ କରିବାକୁ କୁହାଯାଇଥାଏ। ଭୂମିହୀନ ଜାମିନଦାରଙ୍କ କ୍ଷେତ୍ରରେ ଏହା ଏକ ବଡ଼ ସମସ୍ୟା। ଜାମିନଦାରକୁ ଅର୍ଥରାଶି କିମ୍ବା ଜମି ଜିମା ଦେବା ଅର୍ଥ ଉତ୍ତରଦାୟିତ୍ବ ସ୍ଥିର କରାଯାଏ। ଯଦି ଅଭିଯୁକ୍ତ ଜଣକ ଜାମିନରେ ଯିବାପରେ ଧାର୍ଯ୍ୟ ତାରିଖରେ କୋର୍ଟରେ ହାଜର ହେବନାହିଁ, ତେବେ ତାକୁ ଖୋଜି ଆଣିବା କିମ୍ବା ତା ସମ୍ପର୍କରେ ସୂଚନା ଦେବାରେ ପୁଲିସକୁ ସାହାଯ୍ୟ କରିବାକୁ ଜାମିନଦାର ବାଧ୍ୟ। ଅନେକ ସମୟରେ ଅର୍ଥନୈତିକ ଅପରାଧରେ ଯେଉଁ ସଂଖ୍ୟାରେ ଠକେଇ ହୋଇଥାଏ ଠକେଇ ହୋଇଥିବା ଅର୍ଥରାଶୀର ପ୍ରାୟ ୫୦ ପ୍ରତିଶତ ବେଲ୍ ବଣ୍ଡ ଦେବାକୁ ପଡ଼ିଥାଏ। ଏହା ବି ଅନେକ ବିଚାରାଧୀନ କଏଦୀଙ୍କ ପାଇଁ ପୈଠ କରିବା ସମ୍ଭବ ହେଉନାହିଁ। ଅର୍ଥନୈତିକ ଅପରାଧ ମାମଲାରେ ସଂପୃକ୍ତ ରାଜ୍ୟ ବାହାରର ଅଭିଯୁକ୍ତ ପାଇଁ ବେଲ୍ ବଣ୍ଡ୍‌ ବାବଦ ଅର୍ଥରାଶି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଏ। ବେଳେବେଳେ କୋର୍ଟ ନିର୍ଦ୍ଦେଶ ଦେଇଥାନ୍ତି ଯେ ଯେଉଁ ଅଞ୍ଚଳରେ ଅପରାଧ ଘଟିଛି, ସେହି ଅଞ୍ଚଳର ଲୋକ ତାଙ୍କ ପାଇଁ ଜାମିନଦାର ହୋଇଥିବା ଆବଶ୍ୟକ। ଅଭିଯୁକ୍ତ ଯେଉଁ ଅଞ୍ଚଳରେ ଅପରାଧ ଘଟାଇଥିବା ଅଭିଯୋଗ ହୋଇଥାଏ ନିର୍ଦ୍ଦିଷ୍ଟ ଭାବେ ସେହି ଅଞ୍ଚଳରୁ ଜାମିନଦାର ଯୋଗାଡ଼ କରିବା ସମ୍ଭପର ହୋଇପାରୁ ନାହିଁ। ବର୍ତ୍ତମାନ ସ୍ଥିତିରେ ବେଲ୍‌ବଣ୍ଡ ସର୍ନନିମ୍ନ ୧୦ ହଜାର ଟଙ୍କାରୁ ସର୍ବାଧିକ ୫ ଲକ୍ଷ ଟଙ୍କା ଯାଏ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଉଛନ୍ତି। ଅନ୍ୟପଟେ ଚୋରି, ଲୁଟ୍ ମାମଲାରେ ଗିରଫ ଅଭିଯୁକ୍ତ ବିରୋଧରେ ପୁଲିସ ଅନ୍ୟାନ୍ୟ ମାମଲା ଯୋଡ଼ୁଥିବାରୁ ଏକାଧିକ ମାମଲାରେ ଅର୍ଥରାଶି ଯୋଗାଡ଼ କରିବା କଏଦୀଙ୍କ ପାଇଁ ସମ୍ଭବ ହୋଇପାରୁ ନାହିଁ।

ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, ଯଦି ଜଣେ ଅଭିଯୁକ୍ତ ବେଲ୍‌ ବଣ୍ଡ, ଜାମିନଦାର ଯୋଗାଡ଼ କରିପାରୁନାହାନ୍ତି ତେବେ ସେ କୋର୍ଟରେ ପିଆର୍ ବଣ୍ଡ୍‌ ପାଇଁ ଆବେଦନ କରିପାରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି ଜଣେ ଅଭିଯୁକ୍ତ ବେଲ୍‌ ବଣ୍ଡ୍‌ ଦେଇପାରୁନାହାନ୍ତି ସମ୍ପୃକ୍ତ ଅଭିଯୁକ୍ତକୁ ପିଆର୍ ବଣ୍ଡ୍‌ରେ କୋର୍ଟ ଚାହିଁଲେ ଛାଡ଼ିପାରିବ। କିନ୍ତୁ ଏହି ନିର୍ଦ୍ଦେଶନାମା ଠିକ୍ ଢଙ୍ଗରେ ପାଳନ କରାଯାଉନାହିଁ। ଏଭଳି ବିଭିନ୍ନ କାରଣରୁ ବେଲ୍ ମିଳିଲା ପରେ ବି ଜେଲ୍‌ରେ ଅନେକ କଏଦୀ ପଡ଼ି ରହୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।