କଟକ : ସୁଷମ ଖାଦ୍ୟ ଖାଇବାକୁ ପାଉନାହାନ୍ତି ରାଜ୍ୟର ବିଭିନ୍ନ ଜେଲରେ ଥିବା ପ୍ରାୟ ୧୯ ହଜାର ୭୯୯ କଏଦୀ। ସେମାନଙ୍କର ଦିନକୁ ଚାରି ଓଳି ଖାଦ୍ୟ ପାଇଁ ଦିଆଯାଉଛି ମାତ୍ର ୬୪ ଟଙ୍କା। ପ୍ରାୟ ୪ ବର୍ଷ ହେବ ଜେଲ୍‌ ବିଭାଗ ଖାଦ୍ୟ ବାବଦ ଅର୍ଥ ଖର୍ଚ୍ଚ ପରିମାଣ ବୃଦ୍ଧି କରିନାହିଁ। ଜେଲରେ ଏଭଳି ବିଚିତ୍ର ସ୍ଥିତି କଏଦୀଙ୍କ ଯନ୍ତ୍ରଣାକୁ ବଢାଇ ଚାଲିଛି। ଅନ୍ୟପଟେ ସରକାର କଏଦୀ ପିଛା ୬୪ ଟଙ୍କା ଦେଉଥିବା ବେଳେ ଖାଦ୍ୟ ବାବଦ ଟେଣ୍ତର ନେଉଥିବା ଘରୋଇ ସ˚ସ୍ଥା ୪୨ ଟଙ୍କାରୁ ୫୨ ଟଙ୍କା ଭିତର ଖାଦ୍ୟ ଯୋଗାଇ ଦେବା ଘଟଣା ବି ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିଛି। ଅର୍ଥାତ ମାତ୍ର ୧୩/୧୪ ଟଙ୍କାରେ ଗୋଟିଏ ବେଳା ଖାଦ୍ୟ ଯୋଗାଇବା କିଭଳି ସମ୍ଭବ ହେଉଛି ବୋଲି ପ୍ରଶ୍ନ ଉଠୁଛି।

Advertisment

ରାଜ୍ୟର ୫ଟି ସର୍କଲ ଜେଲ ଅଧୀନରେ ଥିବା ମୋଟ ୮୭ଟି ଜେଲର କଏଦୀଙ୍କ ପାଇଁ ଜଣେ କଏଦୀ ପିଛା ଦୈନିକ ଦୁଇଟି ମିଲ(ସକାଳ ଓ ରାତି), ଗୋଟିଏ ଟିଫିନ୍‌ ଏବ˚ ଗୋଟିଏ ଚା ପାଇଁ ମାତ୍ର ୬୪ ଟଙ୍କା ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଜେଲରେ କଏଦୀଙ୍କୁ ଖାଦ୍ୟ ଯୋଗାଇବାକୁ ଟେଣ୍ତର ଆହ୍ବାନ କରାଯାଉଛି। ସର୍ବନିମ୍ନ ଦର ନେଉଥିବା ଘରୋଇ ସ˚ସ୍ଥା ଟେଣ୍ତର ହାତଉଛି। ଚୌଦ୍ବାର ସର୍କଲ ଜେଲ୍‌କୁ ଉଦାହରଣ ସ୍ବରୂପ ନିଆଯାଉ। ଏଠି କଏଦୀ ପିଛା ୫୨ ଟଙ୍କାରେ ଏକ ସ˚ସ୍ଥା ଟେଣ୍ତର ନେଇଛି। ଦୈନିକ ଜଣେ କଏଦୀଙ୍କୁ ଚାରି ଥର ମାତ୍ର ୫୨ ଟଙ୍କାରେ ଖାଇବାକୁ ଦିଆଯାଉଛି। ବାରିପଦା ଓ ବାଲେଶ୍ବର ଜେଲରେ ଦୈନିକ ପ୍ରାୟ ୪୨ ଟଙ୍କାରେ ଚାରି ଓଳି କଏଦୀଙ୍କୁ ଖାଦ୍ୟ ଯୋଗାଯାଉଥିବା କୁହାଯାଉଛି। ଟେଣ୍ତର ପ୍ରକ୍ରିୟାରେ ଯେଉଁଭଳି ପ୍ରତିଯୋଗିତା ଚାଲିଛି, ସେଥିପାଇଁ ରାଜ୍ୟ ସରକାର ଦେଉଥିବା ୬୪ ଟଙ୍କା ବି କଏଦୀଙ୍କ ପାଇଁ ଖର୍ଚ୍ଚ ହୋଇପାରୁ ନାହିଁ। ଜେଲ ବିଭାଗରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ୨୦୦୦ ମସିହାରେ କଏଦୀ ପିଛା ରାଜ୍ୟ ସରକାର ୧୯ ଟଙ୍କା ଖର୍ଚ୍ଚ କରୁଥିଲେ। ୨୦୦୬ରେ ବୃଦ୍ଧି ପାଇ ୩୫ ଟଙ୍କା ହୋଇଥିଲା। ୨୦୧୦ରେ ୪୫ ଟଙ୍କା ଏବ˚ ୨୦୧୭ରେ ୬୪ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଗଲା ୪ ବର୍ଷ ହେବ ଖାଦ୍ୟ ବାବଦ ଅର୍ଥରାଶୀ ବୃଦ୍ଧି ପାଇନାହିଁ। ସରକାର ୬୪ ଟଙ୍କା ଦେଉଥିବା ବେଳେ କୌଣସି ଜେଲରେ ଟେଣ୍ତର ବେଳେ ୬୦ ଟଙ୍କା ବି ଟପୁନାହିଁ।

ଅନ୍ୟପଟେ ଜେଲରେ ଥିବା କଏଦୀଙ୍କ ବ୍ୟବହାରରେ ପରିବର୍ତ୍ତନ ହେଉଥିଲେ ଜେଲ୍‌ ବିଭାଗ ପକ୍ଷରୁ ସେମାନଙ୍କୁ ଜେଲ ଭିତରେ ହିଁ ରୋଷେୟା, ଵାଚମ୍ୟାନ୍‌ ଏବ˚ ପିଅନ କାର୍ଯ୍ୟରେ ଯୋଗ୍ୟତା ଭିତ୍ତିରେ ନିୟୋଜିତ କରାଯାଏ। ଅଣକୁଶଳୀଙ୍କୁ ଦୈନିକ ୪୦ ଟଙ୍କା, ଅର୍ଧ କୁଶଳୀଙ୍କୁ ୫୦ ଟଙ୍କା ଓ କୁଶଳୀଙ୍କୁ୬୦ ଟଙ୍କା ଗଲା ଏକ ବର୍ଷ ହେବ ବୃଦ୍ଧି କରାଯାଇଛି। ପୂର୍ବରୁ ସମସ୍ତଙ୍କୁ ୪୦ ଟଙ୍କା ଲେଖାଏ ଦିଆଯାଉଥିଲା। ଦୈନିକ ଜେଲରେ ଗାମୁଛା ପ୍ରସ୍ତୁତ କରୁଥିବା କୁଶଳୀ କଏଦୀଙ୍କୁ ୬୦ ଟଙ୍କା ହିସାବରେ ୧୮ ଶହ ଟଙ୍କା ଦିଆଯାଉଛି। ୭୦୦ରୁ ୮୦୦ କଏଦୀଙ୍କ ପାଇଁ ଖାଦ୍ୟ ରୋଷେଇ ଦାୟିତ୍ବରେ ନିୟୋଜିତ ଅର୍ଧ କୁଶଳୀ କଏଦୀଙ୍କୁ ଦିନକୁ ୫୦ ଟଙ୍କା ହିସାବରେ ମାସିକ ମାତ୍ର ୧୫ ଶହ ଟଙ୍କା ଭତ୍ତା ଆକାରରେ ଦିଆଯାଉଛି। ସେହିଭଳି ଵାଚମ୍ୟାନ୍‌, ପିଅନ ଏବ˚ ଅଫିସରେ ଫାଇଲ ନେବା ଆଣିବା ପାଇଁ ନିୟୋଜିତ ଅଣ କୁଶଳୀ କଏଦୀଙ୍କ ପାଇଁ ଦୈନିକ ୪୦ ଟଙ୍କା ହିସାବରେ ୧୨ ଶହ ଟଙ୍କା ମାସିକ ଜଣେ କଏଦୀ ପାଉଛି। ୨୦୦୩ ମସିହା ପୂର୍ବରୁ ୩ ଟଙ୍କା ଲେଖାଏ ଦୈନିକ ଦିଆଯାଉଥିବା ବେଳେ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ୧୨ ଟଙ୍କା ଦିଆଯାଉଥିଲା। ୨୦୧୧ରେ ବୃଦ୍ଧି ପାଇ ୪୦ ଟଙ୍କା ହୋଇଥିଲା। ରାଜ୍ୟରେ ଏବେ କେବଳ ରୋଷେଇ ଦାୟିତ୍ବରେ ୩୦୦ କଏଦୀ ଜେଲ୍‌ ଭିତରେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ମାତ୍ର ୧୫ଶହ ଟଙ୍କା ଦରମା ଦିଆଯାଉଛି। ଗୋଟିଏ ପଟେ ସୁଷମ ଖାଦ୍ୟ ନମିଳିବା ଓ ଅନ୍ୟପଟେ ଭତ୍ତା ବୃଦ୍ଧି ନହେବା ଘଟଣାକୁ ନେଇ ବିଭିନ୍ନ ଜେଲର କଏଦୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଲାଣି। ଆଇନଜୀବୀ କ୍ଷୀରୋଦ କୁମାର ରାଉତଙ୍କ କହିବା ଅନୁଯାୟୀ, ଜେଲରେ ରହୁଥିବା କଏଦୀଙ୍କୁ ସୁଷମ ଖାଦ୍ୟ ଯୋଗାଇବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଯେଉଁ ପରିମାଣର ଅର୍ଥ ରାଶୀ ଦେଉଛନ୍ତି, ଏହା ପର୍ଯ୍ୟାପ୍ତ ହେଉନାହିଁ। ଉପଯୁକ୍ତ ମାନର ଖାଦ୍ୟ ମିଳୁନଥିବା ବାରମ୍ବାର ଅଭିଯୋଗ ଉଠୁଛି। ଏଥିପାଇଁ ରାଜ୍ୟ ସରକାର ଏକ ଏକ୍ସପର୍ଟ କମିଟି ଗଠନ କରି ଖାଦ୍ୟ ବାବଦ ଅର୍ଥରାଶୀର ସମୀକ୍ଷା କରନ୍ତୁ। ସୁସ୍ଥ ଭାବେ ବଞ୍ଚିବା କଏଦୀଙ୍କ ସାମ୍ବିଧାନିକ ଅଧିକାର। ଏ କ୍ଷେତ୍ରରେ କାରାଗାର ବିଭାଗ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।