ଜେଲ୍‌ ହାଜତରେ ବନ୍ଦୀଙ୍କ ଆତ୍ମହତ୍ୟା! ମୃତ୍ୟୁ ସନ୍ଦେହଜନକ ବୋଲି କହିଲେ ପରିବାର

ସୋହେଲା: ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ସେ ହେଉଛନ୍ତି, ମେଲଛାମୁଣ୍ଡା ଥାନା ଅଧୀନ ପେଟୁପାଲି ଗ୍ରାମର ମନମୋହନ ରାଉତିଆ (ମୋହିତ)। ଗତ ୭ ତାରିଖ ଯୌତୁକଜନିତ ବଧୂହତ୍ୟା ମାମଲାରେ ଗିରଫ ହୋଇ ମୋହିତ୍‌ ଜେଲ୍‌ରେ ରହୁଥିଲେ। ମଙ୍ଗଳବାର ସକାଳେ ପାଇଖାନା ଘରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ପରିବାରଲୋକେ କିନ୍ତୁ ମୃତ୍ୟୁ ଘଟଣାଟି ସନ୍ଦେହଜନକ ବୋଲି ଅଭିଯୋଗ କରିଛନ୍ତି। ଏସବୁ ଭିତରେ ମୋହିତଙ୍କ ହାତରେ ପେନ୍‌ରେ ଲେଖାଥିବା ‘ଆଇ ଲଭ୍‌ ୟୁ ମଞ୍ଜୁ’ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛି।

ପେଟୁପାଲି ଗ୍ରାମର ଅଶୋକ ରାଉତିଆଙ୍କ ପୁଅ ମୋହିତ ସୋହେଲା ଥାନା ଅନ୍ତର୍ଗତ ଲୁହୁରାଚଟି ଗ୍ରାମର ଜୟଦେବ ମେହେରଙ୍କ ଝିଅ ମଞ୍ଜୁଙ୍କୁ ବିବାହ କରିଥିଲେ। ଗତବର୍ଷ ଫେବ୍ରୁଆରି ମାସ ୨୦ ତାରିଖରେ ବିବାହ ହୋଇଥିଲା। ଚଳିତମାସ ୫ ତାରିଖ ରାତିରେ ମଞ୍ଜୁଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ମଞ୍ଜୁଙ୍କ ପରିବାରଲୋକେ ଯୌତୁକ ଦାବିରେ ଶାଶୂଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ମେଲଛାମୁଣ୍ଡା ପୁଲିସ ମୋହିତଙ୍କୁ ଗିରଫ କରି ସୋହେଲା କୋର୍ଟ ଚାଲାଣ କରିଥିଲେ। ଜାମିନ ନ ମିଳିବାରୁ ତାଙ୍କୁ ସୋହେଲା ଜେଲ ହାଜତକୁ ପଠାଇ ଦିଆଯାଇଥିଲା।

ସୋହେଲା ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ଅଂଜନା ଲାକ୍ରାଙ୍କ ସୂଚନା ଅନୁସାରେ, ମୋହିତଙ୍କୁ ୨ ନମ୍ବର ୱାର୍ଡରେ ଅନ୍ୟ ୧୨ ଜଣ ବିଚାରାଧୀନ କଏଦୀଙ୍କ ସହିତ ରଖାଯାଇଥିଲା। ଆଜି ଭୋର୍‌ ସାଢ଼େ ୪ଟାରେ ଜେଲ୍‌ କର୍ମଚାରୀ ତାଙ୍କୁ ଫୋନ୍‌ କରି ମୋହିତ ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ। ମାତ୍ର, ମୃତକଙ୍କ ପରିବାରବର୍ଗ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବାପରେ ସେମାନଙ୍କୁ ଘଟଣାସ୍ଥଳ ଦେଖାଇବା ପାଇଁ ସୋହେଲା ଉପକାରାଗାରକୁ ନିଆଯାଇଥିଲା। ଜେଲ୍‌ ଭିତରକୁ ପରିବାରର ୩ ଜଣଙ୍କୁ ଯିବାପାଇଁ ଅନୁମତି ମିଳିଥିଲା । ମୃତଦେହ ଉଦ୍ଧାର ହୋଇଥିବା ପାଇଖାନାକୁ ଦେଖାଇବାକୁ ଜେଲ୍‌ କର୍ତ୍ତୃପକ୍ଷ ମନାକରିବା ସହ ମୋହିତ ରହୁଥିବା ୨ନମ୍ବର ୱାର୍ଡର ଅନ୍ୟ ୩ଜଣ ଅନ୍ତେବାସୀଙ୍କ ସହିତ କଥା କରାଇଥିଲେ। ତେବେ, ଏଥିରେ ଅସନ୍ତୋଷ ପ୍ରକାଶ କରିବାସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ପରିବାରବର୍ଗ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର