ଆସିକା ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀ ମୃତ, ବିଷ ପିଇ ଜୀବନ ହାରିଲେ ଶାଶୂ

ଆସିକା/ଶେରଗଡ : ଗଞ୍ଜାମ ଜିଲ୍ଲା ଆସିକା ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ ବ୍ଲକ ଧରାକୋଟ ଥାନା କୁଲାଗଡ଼ ପଞ୍ଚାୟତ ବାଦଗଡ଼ ଗ୍ରାମର ଡାକ ଓରଫ ଡାକ୍ତର ସାହୁ। ଏକ ହତ୍ୟା ମାମଲାରେ ସେ ଗତ ଅକ୍ଟୋବର ୨୮ ତାରିଖରୁ ବିଚାରଧୀନ ବନ୍ଦୀ ଭାବେ ଜେଲ୍‌ରେ ଥିଲେ। ଆସିକା ପୁଲିସ କେସ ନମ୍ବର ୨୮/୧୯ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି। ‌ତେବେ ଡାକଙ୍କ ମୃ୍ତ୍ୟୁ ପରେ ପରେ ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜେଲ୍‌ରେ ଜ୍ବାଇଁ ଡାକଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଶାଶୂ ସତ୍ୟ ସ୍ୱାଇଁ (୫୦) ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେବା ରାସ୍ତାରେ ମୃତ୍ୟୁ ଘଟିଥିଲା।

ଆସିକା ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଗତକାଲି ରାତିରେ ଅନ୍ୟ କଏଦୀଙ୍କ ଭଳି ଖାଇ ସାରି ଡାକ ଶୋଇବାକୁ ଯାଇଥିଲେ। ଆଜି ସକାଳୁ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଅଚେତ ଅବସ୍ଥାରେ ତାଙ୍କୁ ଜେଲ ଅଧୀକ୍ଷକ ଚିତ୍ତରଞ୍ଜନ ସାହୁ ତୁରନ୍ତ ଆସିକା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର