ବଣାଇଗଡ଼: ବଣାଇଗଡ଼ ସ୍ବତନ୍ତ୍ର ଉପକାରାଗାରରେ ହତ୍ୟା ମାମଲାରେ ବିଚାରାଧୀନ ଥିବା ଜଣେ କଏଦୀଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, କେ. ବଲାଙ୍ଗ ଥାନା ଅଞ୍ଚଳର ଜୋହନ ମିଞ୍ଜ(୬୩) ଏବଂ ତାଙ୍କ ପୁଅ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ବଣାଇଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ବାପାଙ୍କର ବୟସାଧିକ୍ୟ ଦୁର୍ବଳତା ଯୋଗୁ ପୁଅ ତାଙ୍କର ସେବାଶୁଶ୍ରୂଷା କରୁଥିଲେ।
ଗୁରୁବାର ସକାଳେ ହଠାତ୍ ଜେଲ୍ ହାଜତରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହା ଦେଖି ଜେଲ୍ କର୍ମଚାରୀ ତାଙ୍କୁ ତୁରନ୍ତ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଜୋହନ୍ଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ହଠାତ୍ ତାଙ୍କର ମୃତ୍ୟୁ ଘଟିଲା ତାହା ଅସ୍ପଷ୍ଟ ରହିଛି। ଏନେଇ ଜେଲ ଅଧୀକ୍ଷକଙ୍କ ମତାମତ ନେବାରୁ ବୟସାଧିକ୍ୟ ଦୁର୍ବଳତା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି ବୋଲି ସେ କହିଥିଲେ।
ତେବେ ପ୍ରକୃତରେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ଅଧୀକ୍ଷକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଅନୁରୂପ ଭାବେ ଅନ୍ୟ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ବଣାଇ କାରାଗାରରେ କଏଦୀମାନଙ୍କ ମୃତ୍ୟୁ ଘଟିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟିହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)