ହାଜତ ମୃତ୍ୟୁ ମାମଲା: ୨ ନିଲମ୍ବିତ, ଥାନାରୁ ହଟିଲେ ଆଇଆଇସି

ବ୍ରହ୍ମପୁର/ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଘଟଣାର ବିଭାଗୀୟ ତଦନ୍ତ ପରେ ଦାୟିତ୍ବରେ ଅବହେଳା ଯୋଗୁଁ ଏଏସ୍‌ଆଇ ପି.ସି ଆଚାର୍ଯ୍ୟ ଓ କନ୍‌ଷ୍ଟେବଲ୍‌ ଡି.ପି ଜେନାଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକଙ୍କୁ ଥାନାରୁ ହଟାଇ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି। ତଦନ୍ତ ସମାପ୍ତ ହେବା ପର୍ଯ୍ୟନ୍ତ ଇନ୍‌ସ୍ପେକ୍ଟର୍‌ ନାୟକ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ରହିବେ ବୋଲି ନିର୍ଦ୍ଦେଶ ହୋଇଛି। ସେପଟେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ସରଜମିନ୍‌ ତଦନ୍ତ କରିବା ପାଇଁ ପୂର୍ବାହ୍ନରେ ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍‌.ପି. ମିଶ୍ର ପ୍ରମୁଖ ଗୋଳନ୍ଥରା ଥାନାରେ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କେମିତି ଓ କେଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେ ନେଇ ତଦନ୍ତ କରିଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ ସୋମବାର ଅପରାହ୍ଣ ସମୟରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ ଗ୍ରାମରେ ଗଣ୍ଡଗୋଳ କରୁଥିଲେ। ଏ ନେଇ କୋର୍ଟରେ ଥିବା ଥାନା ଅଧିକାରୀ ଶ୍ରୀ ନାୟକଙ୍କୁ ନିକଟକୁ ଖବର ଆସିଥିଲା। ତାଙ୍କର ନିର୍ଦ୍ଦେଶ କ୍ରମେ ଗୋଳନ୍ଥରା ଥାନାର ପୁଲିସ ଟିମ୍‌ ଘଟଣାସ୍ଥଳରୁ ଯାଇ ଗଣେଶଙ୍କୁ ଥାନାକୁ ଆଣିଥିଲା। କୋଭିଡ୍‌ ନିୟମ ପ୍ରକାରେ ଥାନା ପରିସରରେ ଥିବା ରିସେପସନ୍ ସେଣ୍ଟର୍‌ରେ ତାଙ୍କୁ ବସିବା ପାଇଁ କୁହାଯାଇଥିଲା। ରାତ୍ର ପ୍ରାୟ ୮ଟା ସମୟରେ ଗଣେଶ ପିନ୍ଧିଥିବା ବେଲ୍ଟକୁ ଝରକାର ଲୁହାରେ ଲଗାଇ ଆତ୍ମହତ୍ୟା କରିଥିଲେ। ଡ୍ୟୁଟିରେ ଥିବା କନ୍‌ଷ୍ଟେବଲ୍‌ ଜଣକ ଏହା ଦେଖି ଗଣେଶଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର