ପୁରୀ : ପୁରୀ ଜିଲ୍ଲା କାରାଗାରରେ ଶୁକ୍ରବାର ଦିନ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁଘଟିଛି। ମୃତ କଏଦୀ ହେଲେ, ବ୍ରହ୍ମଗିରି ଥାନା ଶିଶୁପାରି ନୂଆପଡ଼ା ଗାଁର ବାଦଲ ଓରଫ ବିଶ୍ବନାଥ ବାରିକ(୨୨)। ବାଦଲ କାରାଗାର ଭିତରେ ଆତ୍ମହତ୍ୟା କରିଥିବା ଜେଲ୍ କର୍ତ୍ତୃପକ୍ଷ ସଫେଇ ଦେଉଥିବାବେଳେ ପରିବାର ଲୋକେ କିନ୍ତୁ ଏହା ଷଡ଼୍ଯନ୍ତ୍ରପୂର୍ବକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏହାପଛରେ ଜେଲ୍ କର୍ତ୍ତୃପକ୍ଷଙ୍କ ସହ ତାଙ୍କ ବୋହୂଙ୍କ ବାପଘର ଲୋକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।
ପରିବାର ଲୋକଙ୍କ କହିବା ମୁତାବକ, ବାଦଲ ବ୍ରହ୍ମଗିରି ଥାନା ଜଗଦଳ ଗାଁର ଜଣେ ଝିଅକୁ ପ୍ରେମ କରୁଥିଲେ। ବର୍ଷେ ତଳେ ସେ ଝିଅ ସହ ଫେରାର ହୋଇଯାଇଥିଲେ। ଏଣୁ ଝିଅର ପରିବାର ଲୋକେ ଏ ସମ୍ପର୍କରେ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ବାଦଲ ରାଜ୍ୟ ବାହାରେ ଝିଅ ସହ ରହୁଥିବା ଓ କୌଣସି ସଂସ୍ଥାରେ କାମ କରୁଥିବା ଜଣାପଡ଼ିଥିଲା। ସେ ସମୟରେ ଝିଅକୁ ୧୭ ବର୍ଷ ୧୦ ମାସ ହୋଇଥିଲା। ପରେ ଦୁଇଜଣ ମନ୍ଦିରରେ ବିବାହ କରିଥିଲେ। ଏହାର ବର୍ଷକ ପରେ ବାଦଲ ଝିଅ ସହ ନିଜ ଘରକୁ ଫେରିଥିଲେ। ବାଦଲ ଘରେ ଥିବା ଜାଣିବାପରେ ମେ ମାସରେ ପୁଲିସ ତାଙ୍କୁ ବିଳମ୍ବିତ ରାତିରେ ଘରୁ ଉଠାଇ ନେଇଥିଲା। ଫେରାର ସମୟରେ ଝିଅ ନାବାଳିକା ଥିବାରୁ ପୁଲିସ ବାଦଲଙ୍କୁ ପୋକ୍ସୋ ଦଫାରେ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ପୋକ୍ସୋ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା। ବିଚାର ନ ସରିବା ପର୍ଯ୍ୟନ୍ତ ପୋକ୍ସୋ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ସେବେଠୁ ପୁରୀ ଜିଲ୍ଲା କାରାଗାରରେ ବାଦଲ ବନ୍ଦୀ ଜୀବନ କାଟି ଆସୁଛନ୍ତି। ପୋକ୍ସୋ କୋର୍ଟରେ ଏବେ ବି ମାମଲାର ବିଚାର ଚାଲିଛି।
ବାଦଲଙ୍କ ମୃତ୍ୟୁ ସମ୍ପର୍କରେ ଆଜି ସାଢ଼େ ୧ଟା ସମୟରେ ଖବର ଦିଆଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବାକୁ କୁହାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲା ବେଳକୁ ତାଙ୍କୁ ମୃତଦେହ ଛୁଆଁଇ ଦିଆଗଲାନି। ଯାହାକୁ ନେଇ ସନ୍ଦେହ ପ୍ରକଟ କରିବା ସହ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ, ପୁଲିସ ବାଦଲଙ୍କ ପରିବାରର ୪ଜଣଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।