ଫୁଲବାଣୀ ଜେଲ୍‌ରେ ବିଚାରାଧୀନ କଏଦୀର ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ଜେଲ୍‌ରେ ପୁଣି ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି। ମୃତ  କଏଦୀ ଜଣକ ହେଲେ ନୀଳାମ୍ବର ମାଝି (୬୫)। ବୁଧବାର ସକାଳ ୮ଟାରେ ନୀଳାମ୍ବର ଟିଭି ଦେଖୁଥିବାବେଳେ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜେଲ୍‌ କର୍ତ୍ତୃପକ୍ଷ ନୀଳାମ୍ବରଙ୍କୁ ତୁରନ୍ତ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ନୀଳାମ୍ବରଙ୍କ ନିଜ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲମ୍ବାଗୁଡ଼ାରି ଅଞ୍ଚଳରେ। ସେ ୨୦୨୧ ଫେବ୍ରୁଆରି ୮ ତାରିଖରୁ ଏକ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ରହିଥିଲେ। ସୂଚନାଯୋଗ୍ୟ, ଏହି ଘଟଣାର ଦିନକ ପୂର୍ବରୁ ଫୁଲବାଣୀ ଜେଲ୍‌ରେ ଆଉ ଜଣେ ବିଚାରାଧୀନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। କାହିଁକି ଜେଲ୍‌ରେ ବାରମ୍ବାର ଏଭଳି ମୃତ୍ୟୁ ଘଟୁଛି ତାହାକୁ ନେଇ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର