ବାରିପଦା: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍ଏମ) ମେଡିକାଲରେ ଚିକିତ୍ସାଧୀନ ଜଣେ କଏଦୀ ପୁଲିସକୁ ଚକ୍ମା ଦେଇ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। କଏଦୀ ଜଣକ କୁଳିଅଣା ଥାନା ଗଙ୍ଗରାଜ ଗାଁର ଦାମୋଦର ପୃଷ୍ଟି।
ଦାମୋଦର ତାଙ୍କ ଜ୍ବାଇଁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗତ ଏପ୍ରିଲ୍ ୨୪ ତାରିଖରେ ଗିରଫ ହୋଇ ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହୁଥିଲେ। ଆଜି ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପୂର୍ବାହ୍ନ ୧୧ଟାରେ ପିଆର୍ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିସିନ ୱାର୍ଡ ଶଯ୍ୟା ନମ୍ବର ୧୦୬ରେ ଦାମୋଦର ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଜେଲ୍ର ଜଣେ କର୍ମଚାରୀ ଜଗି ରହିଥିଲେ। ତେବେ ସେ କୌଣସି କାର୍ଯ୍ୟରେ ବାହାରକୁ ଆସିଥିବା ବେଳେ ଏହି ସୁଯୋଗରେ ଦା ମୋଦର ମେଡିକାଲ୍ରୁ ଖସି ପଳାଇଛନ୍ତି। ଜେଲ୍ ଅଧୀକ୍ଷକ ଏନେଇ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୪୨୦/୨୨ରେ ଏକ ମାମଲା ରୁଜୁ କରି ଦାମୋଦରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏକ ସ୍ବତନ୍ତ୍ର ଟିମ୍ ଏଥିପାଇଁ ନିୟୋଜିତ ହୋଇଥିବା ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।