ସୁନ୍ଦରଗଡ଼: ଜଗିଥିଲେ ପୁଲିସ କର୍ମଚାରୀ। ହାଇଡ୍ରୋସିଲ୍‌ ଅସ୍ତ୍ରୋପଚାର ହୋଇଥିବାରୁ ଡାକ୍ତରଖାନା ଶଯ୍ୟାରେ ପଡ଼ିଥିଲେ। ହେଲେ ଅଧରାତିରେ ଦେଖିଲାବେଳକୁ ଶଯ୍ୟା ଖାଲି। ସମସ୍ତଙ୍କୁ ଚକ୍‌ମା ଦେଇ ମାରିଥିଲେ ଚମ୍ପଟ୍‌। ରବିବାର ରାତିରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଜଣେ ବିଚାରାଧୀନ କଏଦୀ ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। କଏଦୀ ଜଣକ ହେଲେ ଭଷ୍ମା ଥାନା ମଙ୍ଗସପୁର ବାଉଁଶମୁଣ୍ଡାର ଅର୍ଜୁନ ମୁଣ୍ଡା। ସେ ୨୦୨୩ ଡିସେମ୍ବର ୧୮ରେ ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଗିରଫହୋଇ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଥିଲେ। ଶନିବାର ଦିନ ହାଇଡ୍ରୋସିଲ୍‌ ଅସ୍ତ୍ରୋପଚାର ପାଇଁ ଅନ୍ୟ ଜଣେ କଏଦୀ ସହ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା।

Advertisment

ଅସ୍ତ୍ରୋପଚାର ପରେ ରବିବାର ତାଙ୍କୁ ଅସ୍ତ୍ରୋପଚାର କକ୍ଷରୁ ୱାର୍ଡକୁ ଅଣାଯାଇଥିଲ। ଜଘନ୍ୟ ହତ୍ୟା ମାମଲାର ବନ୍ଦୀ ଥିବାରୁ ତାଙ୍କ ଉପରେ ପୁଲିସ କଡ଼ା ନଜର ରଖିଥିଲା। ଡାକ୍ତରଖାନା ୱାର୍ଡରେ ୨ ଜଣ ପୁଲିସ କର୍ମଚାରୀ ଜଗିଥିଲେ। କିନ୍ତୁ ସେମାନଙ୍କୁ ଚକ୍‌ମା ଦେଖାଇ ରାତି ପ୍ରାୟ ୨ଟାରେ ଅର୍ଜୁନ ଚମ୍ପଟ ମାରିଥିଲେ। ଏ ନେଇ ଜେଲ୍‌ କର୍ତ୍ତୃପକ୍ଷ ସୁନ୍ଦରଗଡ଼ ଟାଉନ୍‌ଥାନାରେ ଅଭିଯୋଗ କରିବା ପରେ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା, ଟାଉନ୍‌ ଥାନାଧିକାରୀ ଆଦିତ୍ୟ ମହାକୁଲ ଜେଲ୍ ଓ ଡାକ୍ତରଖାନାକୁ ଯାଇ ତନାଘନା ଚଳାଇଥିଲେ । ତେବେ, ଫେରାର୍‌ ହେବାର ୧୨ଘଣ୍ଟାପରେ ଅଭିଯୁକ୍ତ ନିଜ ବାଉଁଶମୁଣ୍ଡା ନିକଟସ୍ଥ ଜଙ୍ଗଲରୁ ଧରାପଡ଼ିିଛି।