ଜେଲରେ କଏଦୀଙ୍କ ଦୈନିକ ମଜୁରୀ ବଢ଼ିଲା
ଭୁବନେଶ୍ବର : ଜେଲ୍ରେ ସଜା କାଟୁଥିବା କଏଦୀମାନଙ୍କର ଦୈନିକ ମଜୁରୀ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପ୍ରିଜନ୍ ବିଭାଗକୁ ଚିଠି ଲେଖିଛି। ପୂର୍ବରୁ କୁଶଳୀ କଏଦୀମାନେ ଦୈନିକ ୬୦ ଟଙ୍କା ମଜୁରୀ ପାଉଥିବା ବେଳେ ଏବେ ତାହା ୭୦ ଟଙ୍କା ହୋଇଛି। ସେହିଭଳି ଅର୍ଦ୍ଧକୁଶଳୀଙ୍କର ମଜୁରୀ ୫୦ରୁ ୬୦କୁ ବୃଦ୍ଧି ପାଇଥିବା ବେଳେ ଅଣକୁଶଳୀଙ୍କର ମଜୁରୀ ୪୦ରୁ ୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏଣିକି ଏହି ବର୍ଦ୍ଧିତ ହାରରେ କଏଦୀମାନଙ୍କୁ ମଜୁରୀ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଥିବା କଏଦୀମାନେ କାରାଗାରରେ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଭାବରେ ଚିହ୍ନିତ କରାଯାଇଛି। କୁଶଳୀ କଏଦୀମାନେ ଟେଲରିଂ, ଧୂପକାଠି ତିଆରି, ଫ୍ଲାଏ ଆସ୍ ଇଟା, ଫିନାଇଲ ଆଦି ତିଆରି କରୁଥିବାବେଳେ ଅର୍ଦ୍ଧକୁଶଳୀମାନେ ରାନ୍ଧିବା, ବାଳ କାଟିବା, ବଗିଚାରେ ମାଳି କାମ କରିବା, ଗାଈର ଯତ୍ନ ନେବା ଭଳି କାମ କରୁଛନ୍ତି। ଅଣକୁଶଳୀମାନେ ଝାଡ଼ୁ ମାରିବା ସହ ସଫେଇ କରିବା କାମ କରୁଛନ୍ତି। ସେମାନଙ୍କୁ ଏ ବାବଦରେ ପାରିଶ୍ରମିକ ପ୍ରଦାନ କରାଯାଉଛି।
ସୂଚନାଯୋଗ୍ୟ ଯେ କର୍ଣ୍ଣାଟକ ସରକାର ଜେଲରେ କୁଶଳୀ କଏଦୀଙ୍କୁ ସର୍ବାଧିକ ୨୨୫ ଟଙ୍କା ଦେଉଥିବା ବେଳେ ଅର୍ଦ୍ଧକୁଶଳୀଙ୍କୁ ୨ଶହ ଓ ଅଣକୁଶଳୀଙ୍କୁ ୧୭୫ ଟଙ୍କା ଦେଉଛନ୍ତି। ଦୁଇ ନମ୍ବରରେ ରହିଛି ତାମିଲନାଡ଼ୁ। ସେଠାରେ କୁଶଳୀ କଏଦୀଙ୍କୁ ୨ଶହ, ଅର୍ଦ୍ଧକୁଶଳୀଙ୍କୁ ୧୮୦ ଓ ଅଣକୁଶଳୀଙ୍କୁ ୧୬୦ ଟଙ୍କା ଦିଆଯାଉଛି। ଏହି ତାଲିକାରେ ମଣିପୁର ସବା ତଳେ ରହିଛି। ଏଠାରେ କୁଶଳୀଙ୍କୁ ମାତ୍ର ୧୨ ଟଙ୍କା ମଜୁରୀ ମିଳୁଥିବା ବେଳେ ଅର୍ଦ୍ଧକୁଶଳୀଙ୍କୁ ୧୦ ଓ ଅଣକୁଶଳୀଙ୍କୁ ୮ ଟଙ୍କା ମିଳୁଛି।