କରଞ୍ଜିଆ ଗୋଲେଇ : ଜେଲ୍ ବଗିଚାରେ ଉତ୍ପାଦିତ ପନିପରିବାକୁ ଖୋଲାମେଲା ବାହାରେ ବିକ୍ରି କରୁଛନ୍ତି ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ। ନା ଜଗିବାକୁ କେହି ଜେଲ୍ କର୍ମଚାରୀ ଅଛନ୍ତି ନା କଏଦୀଙ୍କୁ ଚିହ୍ନିବାର କୌଣସି ଅବକାଶ ଅଛି। ସାଧାରଣ ଲୋକଙ୍କ ପରି ପ୍ୟାଣ୍ଟସାର୍ଟ ପିନ୍ଧି ବିନ୍ଦାସ ମନରେ ବାହାରେ ପରିବା ବିକୁଛନ୍ତି ଦୁଇ କଏଦୀ। ଦେଖିଲେ ମଧ୍ୟ କେହି ଜାଣିପାରିବେନି ଏମାନେ ନରହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ସଜ୍ଜା କାଟୁଛନ୍ତି ବୋଲି। ଜେଲ୍ ଆଚରଣ ସଂହିତାର ଏହା ଖୋଲା ଉଲ୍ଲଂଘନ ହୋଇଥିଲେ ବି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପକାରାଗାର କର୍ତ୍ତୃପକ୍ଷ ଏହାକୁ ଅତ୍ୟନ୍ତ ହାଲୁକା ଓ ଖିଆଲି ଢଙ୍ଗରେ ନେଇଛନ୍ତି।
କରଞ୍ଜିଆ ଜେଲ୍ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୫ ଜଣ ଆସାମୀଙ୍କ ମଧ୍ୟରୁ ଦୁଇ ଜଣ କଏଦୀ ପ୍ରତ୍ୟହ ବାହାରକୁ ଆସି ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। ୩ ବର୍ଷ ତଳେ ଏମିତି ଏକ ଘଟଣା କରଞ୍ଜିଆରେ ହଇଚଇ ସୃଷ୍ଟି କରିଥିଲା। ତତ୍କାଳୀନ ଜେଲର୍ ଜଣେ କଏଦୀଙ୍କୁ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇବା ସମୟରେ ସେ ସୁଯୋଗ ଦେଖି ସେ ଚମ୍ପଟ ମାରିଥିଲେ। ଏହି କଏଦୀଜଣକ ଥିଲେ ଭଗବାନ ଟୁଡ଼ୁ। ୨୦୧୨ ମସିହାରେ ଏକ ହତ୍ୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା ଭୋଗୁଥିଲେ। ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଜେଲ୍ ଉଚ୍ଚ କର୍ତ୍ତୃପକ୍ଷ ଦୁଇଜଣ ଜେଲ୍ କର୍ମଚାରୀଙ୍କୁ ନିଲମ୍ବନ କରିବା ସହିତ ଫେରାର୍ କଏଦୀକୁ ତୁରନ୍ତ ଖୋଜି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ ଜେଲ୍ ୱାର୍ଡର ସୁକାନ୍ତ ବେହେରା ୨୦୧୯ ମସିହା ଜୁନ୍ ୨୧ ତାରିଖରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ମନରୁ ନ ଲିଭୁଣୁ କଏଦୀଙ୍କ ପ୍ରତି ଏବେକାର ଜେଲ୍ କର୍ତ୍ତୃପକ୍ଷଙ୍କ କୋହଳ ନୀତି ଏକ ବଡ଼ ବିପଦକୁ ଆମନ୍ତ୍ରଣ କରିବା ସହ ଜେଲ୍ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ଛିଡ଼ା କରିଛି।
ତେବେ; କଏଦୀଦ୍ବୟ ବାହାରକୁ ଆସୁଥିବା ବେଳେ ସେମାନଙ୍କୁ ଜେଲ୍ କର୍ମଚାରୀ ଜଗୁଥିବା କରଞ୍ଜିଆ ଜେଲର୍ ପିକେ ମହାଳିକ ସଫେଇ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/karanjia-jail-p.jpg)