୧୩ ବର୍ଷ ପରେ ଜେଲରୁ ମୁକୁଳିବେ ଆଜୀବନ କଏଦୀ

କଟକ : ନିମ୍ନ ଅଦାଲତ ଦ୍ବାରା ଆଜୀବନ କରାଦଣ୍ଡ ପାଇଥିବା ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ରାୟ ବଳରେ ୧୩ ବର୍ଷ ପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି। ୨୦୦୮ ମାର୍ଚ୍ଚ ୧୦ରେ ଚାରମାଲ୍ ଥାନା ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ସମ୍ବଲପୁର ଦୌରା ଜଜ୍ ଅଭିଯୁକ୍ତ ଅର୍ଜୁନ ସବରକୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ୍‌ କରି ଅର୍ଜୁନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଏସ.କେ. ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଜୁନଙ୍କ ଆବେଦନର ଶୁଣାଣି କରି ଦୌରା ଅଦାଲତ ଦଫା ୩୦୨ରେ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡାଦେଶକୁ ରଦ୍ଦ କରିଛନ୍ତି। ଅନ୍ୟପକ୍ଷରେ ଖଣ୍ଡପୀଠ ଏହି ମାମଲାରେ ଅର୍ଜୁନଙ୍କୁ ଆଇପିସିର ଦଫା ୩୦୪ ପାର୍ଟ-୧ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୦୮ରୁ ଜେଲରେ ଅର୍ଜୁନ ଅଛନ୍ତି। ଅର୍ଜୁନ ଜେଲରେ ରହିଥିବା ଅବଧିକୁ ଆଇପିସିର ଦଫା ୩୦୪ ପାର୍ଟ-୧ରେ ଦଣ୍ଡାଦେଶ ଭାବେ ଗ୍ରହଣ କରାଯିବ। ଏପରି ପରିସ୍ଥିତିରେ ଏହି ମାମଲାରେ ଅର୍ଜୁନଙ୍କୁ ଜେଲରୁ ମୁକ୍ତ କରିବାକୁ ଖଣ୍ଡପୀଠ ନି‌ର୍ଦ୍ଦେଶ‌ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ୨୦୦୮ ମାର୍ଚ୍ଚ ୧୦ରେ ଜଣେ ବ୍ୟକ୍ତିଙ୍କୁ ବାଡିରେ ଆକ୍ରମଣ କରି ଅର୍ଜୁନ ମାରି ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଚାରମାଲ ପୁଲିସ ହତ୍ୟାକାଣ୍ଡ ମାମଲା ରୁଜୁ କରି ଅର୍ଜୁନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚାର୍ଜସିଟ ଦାଖଲ ପରେ ଅର୍ଜୁନଙ୍କ ବିରୋଧରେ ସମ୍ବଲପୁର ଦୌରା ଅଦାଲତରେ ମାମଲା ଶୁଣାଣି ହୋଇଥିଲା। ଅଦାଲତ ଆଇପିସିର ଦଫା ୩୦୨ରେ ଅର୍ଜୁନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଆଜୀବନ ଜେଲ ସହିତ ୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ହତ୍ୟା ପାଇଁ ଅର୍ଜୁନଙ୍କ କୌଣସି ଉଦ୍ଦେଶ୍ୟ ନଥିବା ସାକ୍ଷ୍ୟ ପ୍ରମାଣରୁ ସ୍ପଷ୍ଟ ହୋଇଥିଲା। ତେଣୁ ତାଙ୍କୁ ଆଇପିସିର ଦଫା ୩୦୪ ପାର୍ଟ-୧ରେ ଦୋଷୀ ସାବ୍ୟସ୍ତ କରିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର