ଭୁବନେଶ୍ୱର: ରାଜ୍ୟରେ କୋଭିଡ୍-୧୯ ବା କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଆଜି କୋଭିଡ୍ ପରିଚାଳନା ନୀତିରେ ପରିବର୍ତ୍ତନ ଆଣିଛନ୍ତି। ରାଜ୍ୟ ସରକାରଙ୍କର ଏହି ପରିବର୍ତ୍ତିତ କୋଭିଡ୍ ପରିଚାଳନା ନୀତି ଅନୁଯାୟୀ ଏଣିକି ରାଜ୍ୟର ବଡ଼ ବଡ଼ କର୍ପୋରେଟ ହାଉସ୍, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଘରୋଇ ଉଦ୍ୟୋଗ, ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ସୋମନଙ୍କର କର୍ମଚାରୀମାନଙ୍କ ପାଇଁ ନିଜସ୍ୱ କୋଭିଡ୍ କେୟାର ହୋମ୍ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିବେ ବୋଲି ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି।
ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ କେବଳ ଉପରୋକ୍ତ ସଂସ୍ଥାଗୁଡ଼ିକ ନୁହନ୍ତି, ଏମାନଙ୍କ ସହ ବିଭିନ୍ନ ଏନ୍ଜିଓ ଓ ଧାର୍ମିକ ଅନୁଷ୍ଠାନ ଯେଉଁମାନଙ୍କ ନିକଟରେ ନିକଟରେ ନିଜସ୍ୱ ସାଧନ ଓ ଭିତ୍ତିଭୂମି ଥିବ ସେମାନଙ୍କୁ ୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିବେ। ଯେଉଁଠାରେ ସାମାନ୍ୟ ଲକ୍ଷଣ ବା ଲକ୍ଷଣ ବିହୀନ କୋଭିଡ୍ ରୋଗୀଙ୍କୁ ଏକାନ୍ତବାସ ବା ଆଇସୋଲେସନରେ ରଖାଯାଇ ପାରିବ। ନିଜସ୍ୱ ସାଧନ ଓ ଭିତ୍ତିଭୂମି ଥାଇ ରାଜ୍ୟ ସରକାରଙ୍କ ସର୍ତ୍ତାବଳୀ ବା ପ୍ରଟୋକଲ ମାନିବାକୁ ପ୍ରସ୍ତୁତ ଥିବା ସଂସ୍ଥାମାନଙ୍କୁ ସରକାର ଏଥିପାଇଁ ଅନୁମତି ପ୍ରଦାନ କରିବେ।
ଆଉ ଏହିସବୁ କୋଭିଡ୍ କେୟାର ହୋମ୍ ପରିଚଳନା ନିମନ୍ତେ ଏମାନଙ୍କୁ ଆବଶ୍ୟକୀୟ ଔଷଧପତ୍ର ସହ, ପିପିଇ କିଟ୍ ଓ ଅକ୍ସିମିଟର ଓ ଗ୍ଲୁକୋମିଟର ପରି ଆବଶ୍ୟକୀୟ ମେଡିକାଲ ଉପକରଣ ମଧ୍ୟ ଯୋଗାଇ ଦେବେ। ଆଉ ଯେଉଁ ସଂସ୍ଥା ଚାହିବେ ସେମାନଙ୍କୁ ଏଠାରେ ଆଇସୋଲେସନ୍ରେ ରହିବାକୁ ଥିବା ରୋଗୀମାନଙ୍କର ଖାଦ୍ୟପେୟ ବାବଦରେ ମଧ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅର୍ଥରାଶି ମଧ୍ୟ ପ୍ରଦାନ କରିବେ ବୋଲି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି।