ବିଜୟ କେତନଙ୍କ ପରେ ଘରୋଇ ବ୍ୟାଙ୍କ ଅଧିକାରୀଙ୍କୁ ଜାମିନ

କଟକ: ବିଲ୍ ପାସ୍ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ସହିତ ଗିରଫ ହୋଇଥିବା ‌ଘରୋଇ ବ୍ୟାଙ୍କର ରିଲେସନ୍‌ସିପ ଅଧିକାରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସନ୍ତୋଷଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଜାମିନରେ ଛାଡିବା ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ରଖି ଆବେଦନକାରୀଙ୍କୁ ଜାମିନରେ ଛାଡିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।

୨୦୧୯, ଡିସେମ୍ବର ୩୧ ତାରିଖରେ ୨୦୦୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ବିଲ୍ ପାସ କରାଇ ଦେବା ପାଇଁ ଘରୋଇ ବ୍ୟାଙ୍କର ରିଲେସନସିପ୍ ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ମାଧ୍ୟମରେ ଏସଆର୍‌ଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍‌ର ଅଧିକୃତ ପ୍ରତିନିଧିଙ୍କ ଠାରୁ ଏକ ଲକ୍ଷ ଟଙ୍କା ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ୨୦୧୯, ଡିସେମ୍ବର ୩୦ରେ ଲାଞ୍ଚ ଟଙ୍କା ଶ୍ରୀ ପଟ୍ଟନା‌ୟକଙ୍କ ନିକଟରୁ ଭିଜିଲାନ୍ସ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର