ରାଉରକେଲା: ଲକ୍ଷ୍ମୀ ବସ୍ ଚଳାଚଳ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଘରୋଇ ବସ୍ ମାଲିକ ଡାକରାରେ ଶୁକ୍ରବାର ଊଭୟ ଏକ୍ସପ୍ରେସ୍ ଓ ସାଧାରଣ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରହିଥିଲା। ମାତ୍ର ସଂଧ୍ୟାରେ ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକଙ୍କ ମଧ୍ୟରେ ପ୍ରାୟ ଦୁଇଘଣ୍ଟା ଆଲୋଚନା ପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଅର୍ଥାତ୍ ଆଜି ରାତିରୁ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଛି। ଆସନ୍ତାକାଲି (ଶନିବାର) ସକାଳଠୁ ସାଧାରଣ ବସ୍ ଚଳାଚଳ କରିବ। ଗୋଟିଏ ଦିନ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ନାକେଦମ ହେବାକୁ ପଡ଼ିଥିଲା। ଏଭଳି ସ୍ଥିତି ଉପୁଜିଥିଲା ସ୍ମାର୍ଟସିଟି ରାଉରକେଲାରେ। କେବଳ ‘ମୋ ବସ୍’ ଓ କେତୋଟି ସରକାରୀ ବସ୍କୁ ବାଦ୍ ଦେଇ କୌଣସି ଘରୋଇ ବସ୍ ରାସ୍ତାରେ ଗଡ଼ି ନଥିଲା।
ସକାଳ ୬ଟାରୁ ରାତି ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥିଲା। ସବୁଠୁ ଅଧିକ ହଇରାଣ ହୋଇଥିଲେ ଦିନବେଳା ପଡୋଶୀ ଝାଡ଼ଖଣ୍ଡ, ଛତିଶଗଡ, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ, ଢ଼େଙ୍କାନାଳ, ଅନୁଗୋଳ ଆଦି ସହରକୁ ଯାତାୟତ କରୁଥିବା ଯାତ୍ରୀ। ନୂଆ ବସ୍ଷ୍ଟାଣ୍ଡ, ବସ୍ ଷ୍ଟପ୍ରେ ପିଲାଛୁଆ ଧରି ଯାତ୍ରୀମାନେ ବସ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। କିଛି ଯାତ୍ରୀ ପୂର୍ବରୁ କାଟିଥିବା ବସ୍ ଟିକେଟ୍ ଫେରସ୍ତ କରି ଟ୍ରେନ୍ରେ ସାଧାରଣ ବଗିରେ ଯିବାକୁ ବାଧ୍ୟ ହୋଇଥିଲେ। ବସ୍ ଜରିଆରେ ବେପାର କରୁଥିବା ବ୍ୟବସାୟୀଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିଥିଲା। ସହରରେ ମଧ୍ୟରେ ଚାଲୁଥିବା ‘ମୋ ବସ୍’ରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ଜିଲ୍ଲାରେ ଯେଉଁ ସ୍ଥାନକୁ ମୋ ବସ୍ ଯାଉ ନଥିଲା, ତା’ର ଭରଫୁର ଫାଇଦା ଉଠାଇଥିଲେ ଅଟୋ ଚାଳକ। କିଛି ଅଟୋ ଚାଳକ ନିର୍ଦ୍ଧାରିତ ଭଡ଼ାଠାରୁ ଯାତ୍ରୀମାନଙ୍କ ଦୁଇ ଗୁଣା ଭଡ଼ା ଦାବି କରିଥିଲେ। ବିକଳ୍ପ ବ୍ୟବସ୍ଥା ନଥିବାରୁ ଜରୁରୀ କାମ ଥିବା ଓ ଟ୍ରେନ୍ରୁ ଫେରୁଥିବା ପ୍ରାୟ ଅଧିକାଂଶ ଯାତ୍ରୀ ଅଟୋ ଚାଳକଙ୍କ ଦାବି ମୁତବାକ ଭଡା ଦେବାକୁ ବାଧ୍ୟ ହୋଇଥିଲେ। ଭଡ଼ାକୁ କେନ୍ଦ୍ରକରି କିଛି ଛକରେ ଯାତ୍ରୀ ଓ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେମିତି ରାୟଗଡ଼ା, ଗଞ୍ଜାମ, ବାରିପଦା, ଭଦ୍ରକ, ଚାନ୍ଦବାଲି, କେନ୍ଦ୍ରାପଡ଼ା, ପାରାଦୀପ, ଜଗତସିଂହପୁର, ବାଲେଶ୍ବର, ବ୍ରହ୍ମପୁର ଆଦି ସହରକୁ ସଂଧ୍ୟା ୭ଟାରେ ଯିବାକୁ ଥିବା ଏକ୍ସପ୍ରେସ୍ ବସ୍ଗୁଡ଼ିକୁ ୨/୩ ଘଣ୍ଟା ବିଳମ୍ବରେ ରାଉରକେଲାରୁ ଛାଡିଥିଲା। ବନ୍ଦ ଡାକରା ପୂର୍ବରୁ ୧୦୦ କି ୨୦୦ ଯାତ୍ରୀ ନୁହେଁ ଆସନ୍ତା ୧୦ ଦିନ ପାଇଁ ରାଉରକେଲାର ଉଭୟପଟୁ ପ୍ରାୟ ୨୦ ହଜାର ଯାତ୍ରୀ ଟିକେଟ୍ କାଟି ସାରିଥିଲେ। ରାଉରକେଲା ସହରରୁ ଦୈନିକ ୪୫ ଏକ୍ସପ୍ରେସ୍ (ନାଇଟ୍ କୋଚ୍) ବସ୍ ରାଜ୍ୟର ପ୍ରମୁଖ ସହର ସମେତ ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଚଳାଚଳ କରୁଛି। କେବଳ ଏକ୍ସପ୍ରେସ୍ ନୁହେଁ ସହରରୁ ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ବରଗଡ, ଅନୁଗୁଳ, ଢ଼େଙ୍କାନାଳ, ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡକୁ ଦୈନିକ ଯାତାୟତ କରୁଥିବା ୩୫୦ରୁ ଅଧିକ ବସ୍ ଦୈନିକ ଚଳାଚଳ କରୁଛି।