ରାୟଗଡା: ଆଜି ସାରା ରାଜ୍ୟରେ ଘରୋଇ ବସ୍‌ ସେବା ବନ୍ଦ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଘରୋଇ ବସ୍‌ ସେବା ବନ୍ଦ ଥିବା ଯୋଗୁଁ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ବସଷ୍ଟାଣ୍ଡରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି। ସରକାରୀ ବସ ବନ୍ଦ ହେବା ଯୋଗୁଁ ଯାତ୍ରୀମାନେ ଅଧିକ  ହନ୍ତସନ୍ତ ହୋଇଛନ୍ତି। ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହୋଇଥିବାରୁ ଜିଲ୍ଲାର ୯ଟି ବସ୍‌ ଗଜପତି ଜିଲ୍ଲାକୁ ଯାଇଥିଲା।

Advertisment

ପ୍ରକାଶ ଥାଉକି ରାୟଗଡ଼ା ଜିଲ୍ଲାରେ ୧୨ଟି ବସ୍‌ ସେବା ଥିବା ବେଳେ ୩ଟି ଖରାପ ହୋଇ ରହିଛି। ଜିଲ୍ଲାର ସମସ୍ତ ଦୁର୍ଗମ ଅଂଚଳକୁ ଘରୋଇ ବସ ସେବା ଥିବା ବେଳେ ସେସବୁ ବନ୍ଦ ହୋଇଥିବାରୁ ଯାତ୍ରୀ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ସମସ୍ତ ଘରୋଇ ବସଗୁଡିକ ବସଷ୍ଟାଣ୍ଡରେ ଅଟକି ରହିଛି। ଆଜି ମଧ୍ୟ ଘରୋଇ ବସ୍‌ ସଂଘ ଏବଂ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇନଥିବାରୁ ଏହା ଦୀର୍ଘ ଦିନ ଧରି ଚାଲିବ ବୋଲି ଆଶଙ୍କା କରାଯାଉଛି।

publive-image

ରାୟଗଡା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ଯେତେବେଳ ପର୍ଯ୍ୟନ୍ତ ସରକାର ଦାବି ନମାନନ୍ତି ସେତେଦିନ ପର୍ଯ୍ୟନ୍ତ ବସ ସେବା ବନ୍ଦ ରହିବ। କାରଣ ଜିଲ୍ଲାର ଗ୍ରାମାଞ୍ଚଳରେ ଲକ୍ଷ୍ମୀ ବସ ସେବା ଚାଲିବ ବୋଲି କୁହାଯାଉଥିଲା ଏବଂ ଅତି କମ୍ ଦାମରେ ସେବା ଯୋଗାଇ ଦିଆଯାଉଥିବାରୁ ଘରୋଇ ବସ ମାଲିକମାନେ ବହୁ କ୍ଷତି ସହିବେ। ଜିଲ୍ଲାରେ ଥିବା ସରକାରୀ ବସଗୁଡିକ ପ୍ରାୟତଃ ଗୁଡାରୀ, ମୁନିଗୁଡା, ଚିତ୍ରକୋଣ୍ଡା, ବିଷମକଟକ ଆଦି ସ୍ଥାନକୁ ଯାଉଥିବା ବେଳେ ଆଜି ସେ ସ୍ଥାନଗୁଡିକକୁ ମଧ୍ୟ ବସ ସେବା ନଥିବାରୁ ଲୋକେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ କୌଣସି ସୂଚନା ନମିଳିବାରୁ ଲୋକେ ଭଡା ଗାଡି କରି ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଦେଖିବାକୁ ମିଳିଥିଲା। ଘରୋଇ ବସ ବନ୍ଦ ସହ ସରକାରୀ ବସ ସେବା ମଧ୍ୟ ବନ୍ଦ ହେବାକୁ ନେଇ ଯାତ୍ରୀଙ୍କ ଅସଂତୋଷ ବଢିଥିଲା। ଯାତ୍ରୀ ଏଥିରେ ସରକାରଙ୍କୁ ଟାର୍ଗେଟ କରୁଥିଲେ। ତେବେ ସରକାରୀ ବସ ଆଜି ସଂଧ୍ୟା କିମ୍ବା କାଲିକୁ ଆସିଲେ ହିଁ ସେବା ପୁଣି ଚାଲୁ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବହୁ ଲୋକ ବସ ସେବା ବନ୍ଦ ନେଇ ଅବଗତ ହୋଇନଥିବାରୁ ନିଜର ପିଲାଛୁଆଙ୍କୁ ନେଇ ଏବେ କୁଆଡେ ଯିବେ ବୋଲି ପ୍ରଶ୍ନ କରୁଥିଲେ। ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ତୁରନ୍ତ ରାୟଗଡା ବସଷ୍ଟାଣ୍ଡରେ ଫସିଥିବା ଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ଛାଡିବା ପାଇଁ ଦାବି କରିଥିଲେ।