କୋରାପୁଟ(ଶ୍ରୀକାନ୍ତ ସାହୁ): ମାଲକାନଗିରିରୁ ବ୍ରହ୍ମପୁର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥର କୋରାପୁଟ ସଦର ଥାନା ଅଧୀନ ପୋଡ଼ାଗଡ଼ର ଛୋଟାଗୁଡ଼ା ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
/sambad/media/post_attachments/wp-content/uploads/2024/03/କୋରାପୁଟ.png)
ସୂଚନା ଅନୁସାରେ ଘରୋଇ ଯାତ୍ରୀବାହୀ ବସ୍ (ଖମ୍ବେଶ୍ୱରୀ) ଆଜି ସନ୍ଧ୍ୟା ୫ଟାରେ ୪୦ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ବାହାରି ଥିଲା। ଏହି ବସ୍ଟି କୋରାପୁଟରୁ ରାତି ୯ଟାରେ ବ୍ରହ୍ମପୁର ଅଭିମୁଖେ ବାହାରି ଥିଲା। ବୁଧବାର ସକାଳୁ ବ୍ରହ୍ମପୁରରେ ପହଞ୍ଚିବା ପୂର୍ବରୁ ରାତି ପ୍ରାୟ ସାଢ଼େ ୧୦ଟାରେ ପୋଡ଼ାଗଡ଼ ନିକଟରେ ଭାରସାମ୍ୟ ହରାଇଥିଲା। ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତାକଡ଼ରେ ଓଟଲି ପଡ଼ିଥିଲା। ଫଳରେ ବସ୍ରେ ଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ‘ସମ୍ବାଦ’ର ବୈପାରିଗୁଡ଼ା ପ୍ରତିନିଧି ଅମରେନ୍ଦ୍ର ପରିଛା ମଧ୍ୟ ଅଛନ୍ତି।
/sambad/media/post_attachments/wp-content/uploads/2024/03/କୋରାପୁଟ୧.png)
ସୂଚନା ପାଇ ୬ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ପୋଡ଼ାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ। କିନ୍ତୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/9123a4cc-7101-4c0c-b381-37128d588dd2.jpg)