ଯାଜପୁରଟାଉନ/ ସଦର : କରୋନା ସମୟରେ ବସ୍ ମାଲିକମାନେ ବହୁ କ୍ଷତି ସହିଛନ୍ତି। ଏ ବିଷୟରେ ସରକାର ସଚେତନ ଅଛନ୍ତି। ସେମାନଙ୍କ ଅସୁବିଧା ଦୂର କରିବା ନିମେନ୍ତ ପଦକ୍ଷେପ ନଆଯିବ। ବସ୍ ମାଲିକଙ୍କ ଦାବି ବାବଦରେ ସପ୍ତାହେ ମଧ୍ୟରେ ଆଲୋଚନା କରି ସମାଧାନ କରାଯିବ। ଆଜି ଯାଜପୁର ସହରର ସଂସ୍କୃତି ଭବନଠାରେ ରାଜ୍ୟସ୍ତରୀୟ ବସ୍ ମାଲିକ ସଂଘ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।
ଯାଜପୁର ବସ୍ ମାଲିକ ସଂଘର ସଂପାଦକ କର୍ଣ୍ଣାଟକେଶରୀ ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି ବୈଠକରେ ମୁଖ୍ୟବକ୍ତା ଭାବେ ଯାଜପୁର ସଂଘର ଆଜୀବନ ସଭାପତି, ଯାଜପୁର ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ। ବସ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ସବୁ ପରିସ୍ଥିତିରେ ସହଯୋଗ କରି ଆସୁଛନ୍ତି। ମାଲିକଙ୍କ ବିଭିନ୍ନ ଦାବିକୁ ସରକାର ସମ୍ମାନ ଜଣାଇବା ସହ ତୁରନ୍ତ ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ।
ଏଥିରେ ବସ୍ ମାଲିକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା। ଦ୍ବିତୀୟ ଅଧିବେଶନରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ଓ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୨ ଟି ବସ୍ ମାଲିକ ସଂଘର କର୍ମକତ୍ତାଙ୍କ ସହ ବିଭିନ୍ନ ଦାବି ଯଥା- ପରମିଟ ସମସ୍ୟା, ଖରାପ ରାସ୍ତାର ନବୀକରଣ, ହକରିଂ ଓ ରୟାଲିଟି ଉଚ୍ଛେଦ, ଜିଏସଟି, ସ୍କାର୍ଫ ବ୍ୟବସ୍ଥା, ଗ୍ରୀନ ଟ୍ୟାକ୍ସ, ଠିକ ଭାବେ ଭଡ଼ା ଆଦାୟ, ମୋ ବସ ଚଳାଚଳ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା।
ଯାଜପୁର ବସ ମାଲିକ ସଂଘର ସଂପାଦକ ଶ୍ରୀ ଦାସ ଅତିଥି ପରିଚୟ ଦେବା ସହ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଯାଜପୁର ସଂଘର ମୁଖ୍ୟ କୋଷାଧ୍ୟକ୍ଷ ପାର୍ବତୀ ଦାଶ ସ୍ବାଗତ ଭାଷଣ ଦେଇ ଯାଜପୁରର ଐତିହ୍ୟ ସଂପର୍କରେ ସୂଚନା ଦେଇଥିଲେ। ଘରୋଇ ବସ ସଂଘର ରାଜ୍ୟ ଲୋକନାଥ ପାଣି , ସଂପାଦକ ଦେବେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ।
ରାଜ୍ୟ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ସହ କୋଷାଧ୍ୟକ୍ଷ ଅଜୟ କୁମାର ବାରିକ, ମୁଖପାତ୍ର ଦେବାଶିଷ ନାୟକ, ଇକବାଲ୍ ଅଲ୍ଲି ଖାଁ ଅାଲୋଚନାରେ ଅଂଶଗ୍ରହଣ କରିଥିଲେ। ଯାଜପୁର ସଂଘ ପରିଚାଳନା କରିଥିଲାବେଳେ କୁଆଖିଆ ବସ୍ ସଂଘର ସଦସ୍ୟ ଅଶୋକ କୁମାର ଶର୍ମା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Untitled-4-3.jpg)