ବସ୍‌ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର : ଘରୋଇ ବସ୍‌ ମାଲିକ ସଂଘ ଆଜି ଧର୍ମଘଟ ପ୍ରତ୍ୟାହାର କରି ନେଇଛି। ରାଜ୍ୟ ସରକାରଙ୍କ ସହିତ ସଂଘର କର୍ମକର୍ତାଙ୍କ ଆଲୋଚନା ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି। ସିଟି ବସ୍‌ ଚଳାଚଳ ନେଇ ସଂଘର ରହିଥିବା ମୁଖ୍ୟ ଦାବି ଉପରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୩ମାସରେ ସିଟି ବସ୍‌ ଚଳାଚଳ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ଜଣାପଡ଼ିଛି।

ଗତକାଲି ସଂଘର କର୍ମକର୍ତାଙ୍କ ସହିତ ପରିବହନ ମନ୍ତ୍ରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲା। ଏଥିରେ ପରିବହନ ସଂକ୍ରାନ୍ତୀୟ ସମସ୍ତ ଦାବିକୁ ବିଭାଗ ମାନି ନେଇଥିବା ବେଳେ କେବଳ ସିଟି ବସ୍‌ ଚଳାଚଳ ନେଇ ଆଲୋଚନା ହୋଇପାରି ନ ଥିଲା। ତେବେ ଆଜି ପୁଣିଥରେ ଏଥିପାଇଁ ବୈଠକ ବସିଥିଲା। ଏଥିରେ ପରିବହନ ବିଭାଗର ମନ୍ତ୍ରୀ ଓ ସମସ୍ତ ଅଧିକାରୀଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସଚିବ ଜି.ମାଥିଭାତନମ୍‌ ଉପସ୍ଥିତ ଥିଲେ। ଏଥିରେ ସିଟି ବସ୍‌ ଚଳାଚଳ ନେଇ ନୀତି ନିର୍ଧାରଣ ଉପରେ ଆଲୋଚନା ହୋଇଥିଲା। ସିଟି ବସ୍‌ ସହରାଞ୍ଚଳ ପରିସୀମା ଭିତରେ ଚାଲିବା ଉପରେ ସଂଘ ପ୍ରଶ୍ନ ଉଠାଇଥିଲା। ତେଣୁ ଏହାର ସମାଧାନ ପାଇଁ ନଗର ଉନ୍ନୟନ ଓ ପରିବହନ ବିଭାଗର କର୍ମକର୍ତା ଓ ସଂଘର ୫ଜଣର କର୍ମକର୍ତା ରହିଥିବା ଏକ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୩ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ତେଣୁ ଏହି ସମୟ ମଧ୍ୟରେ ଆଉ ନୂତନ ଇଣ୍ଟରସିଟି ବସ୍‌ ପରମିଟ୍‌ ନ ପ୍ରଦାନ କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର