ଘରୋଇ ବସ୍‌ ମାଲିକଙ୍କ ଚେତାବନୀ, ଦାବି ପୂରଣ ନହେଲେ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ବର : ଜୁଲାଇରୁ ସେପ୍ଟେମ୍ବର ତିନି ମାସ ପର୍ଯ୍ୟନ୍ତ ଟିକସ ଛାଡ଼ ସମେତ ୪ ଦଫା ଦାବି କରିଛି ଘରୋଇ ବସ୍‌ ମାଲିକ ସଂଘ। ଏହା କରାନଗଲେ ୨୦ ଜିଲ୍ଲାରେ ବସ୍‌ ଚଳାଚଳ ବନ୍ଦ ହେବା ସହିତ ରାଜ୍ୟରେ ବସ୍‌ ଚାଲି ପାରିବ ନାହିଁ ବୋଲି ରାଜ୍ୟ ବସ୍‌ ମାଲିକ ସଂଘର କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ହୋଇଛି। କୋଭିଡ ସଂକ୍ରମଣ ଯୋଗୁଁ ବସ୍‌ ଚଳାଚଳ ବନ୍ଦ ରହିଛି। ମାଲିକଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେମାନେ ବୀମା କରି ବସ୍‌ ଚଳାଚଳ କରିବାକୁ ସକ୍ଷମ ନୁହନ୍ତି। ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ସମାଧାନ ରାସ୍ତା ବାହାର କରିବାକୁ ଦାବି କରାଯାଇଛି।

ସଂଘ ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ଟିକସ ଛାଡ଼ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସରକାର କଟକଣା କୋହଳ କରି ୨୦ ଜିଲ୍ଲାରେ ବସ‌୍ ଚଳାଚଳ ପାଇଁ ଅନୁମତି ଦେଇଥିଲେ ମଧ୍ୟ ସେଠାରେ ଗାଡ଼ି ଚଳାଚଳ କରିପାରୁ ନାହିଁ। ଏହାର କାରଣ ନେଇ କୁହାଯାଇଛି, ବସ୍‌ଗୁଡ଼ିକ ଗ୍ୟାରେଜରେ ଅଚଳ ଅବସ୍ଥାରେ ପଡ଼ି ରହିଛି। ଜୁଲାଇ ମାସରେ ଅଗ୍ରିମ ଟିକସ ଦେଇ ଗାଡ଼ି ଚଳାଚଳ ପାଇଁ ମାଲିକମାନେ ସକ୍ଷମ ନୁହନ୍ତି। ଏହାକୁ ଚଳାଚଳ କ୍ଷମ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ କରିବାକୁ ପଡ଼ିବ। ବର୍ତ୍ତମାନ ଡିଜେଲ ଲିଟର ପିଛା ଶହେ ଟଙ୍କା ବଢିଥିବାରୁ କ୍ଷତିରେ ବସ୍‌ ଚଳାଇବା ମଧ୍ୟ ସମ୍ଭବ ନୁହେଁ ବୋଲି କୁହାଯାଇଛି। ଏହି ଅବସରରେ ଗାଡ଼ିଗୁଡ଼ିକ ଚଳାଚଳ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ ଏବଂ କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ସେମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର