୧୨ରୁ ଆନ୍ଦୋଳନ ଧମକ ଦେଲେ ବସ୍‌ ମାଲିକ

ଭୁବନେଶ୍ବର : ବାହୁଡ଼ା ସମୟରେ ପୁରୀରେ ଏକ ବସ୍ ଭିତରେ ହୋଇଥିବା ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର କୌଣସି କାରଣ ଦର୍ଶାଅ ନୋଟିସ୍ ଜାରି ନ କରି ଏହାର ପରମିଟ୍‌କୁ ବାତିଲ କରି ଦେଇଛନ୍ତି। ଏହାର ପ୍ରତିବାଦରେ ଆଜି ସଂଘ ରାଜଧାନୀରେ ଏକ ଜରୁରୀ ବୈଠକ ଡକାଇଥିଲା। ଏଥିରେ ବାତିଲ ହୋଇଥିବା ବସ୍‌ର ପରମିଟ୍‌କୁ ପୁନର୍ବିଚାର କରିବା ପାଇଁ ସରକାରଙ୍କୁ ଆସନ୍ତା ୨୯ ତାରିଖରେ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଯଦି ସରକାର ଏହାର ପୁନର୍ବିଚାର ନ କରନ୍ତି, ତେବେ ଆସନ୍ତା ମାସ ୧୨ତାରିଖରୁ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ଚେତାବନୀ ଦେଇଛି।

ଆଜି ବସ୍‌ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟବ୍ୟାପୀ ସଂଘର କର୍ମକର୍ତା ଯୋଗ ଦେଇଥିଲେ। ପରେ ଗଣମାଧ୍ୟମକୁ ଶ୍ରୀ ସାହୁ କହିଛନ୍ତି ଯେ ପୁରୀ‌ରେ ହୋଇଥିବା ଲଜ୍ଜାଜନକ ଘଟଣାରେ ବସ୍‌ ମାଲିକ ପୁଲିସକୁ ସମସ୍ତ ପ୍ରକାର ସହାୟତା କରୁଛନ୍ତି। ଏପରିକି ହେଲପର୍‌ ବିରୋଧରେ ପୀଡ଼ିତା ଏତଲା ଦେଇଛନ୍ତି। ତେବେ ଗତକାଲି ସରକାରଙ୍କ ପକ୍ଷରୁ କୌଣସିପ୍ରକାର କାରଣ ଦର୍ଶାଅ ନୋଟିସ୍ ଜାରି ନ କରି ବସ୍‌ର ପରମିଟ୍‌କୁ ବାତିଲ୍‌ କରି ଦିଆଯାଇଥିଲା। ଏହାର ପ୍ରତିବାଦରେ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ପରିବହନ ସଚିବଙ୍କୁ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରାଯିବ। ଯଦି ଏଥିରେ କୌଣସି ପୁନର୍ବିଚାର କରା ନଯାଏ, ଆସନ୍ତା ୯ ତାରିଖରେ ସଂଘର ସାଧାରଣ ପରିଷଦ ବୈଠକ ଡକାଯିବ। ୧୨ ତାରିଖଠାରୁ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ହୋଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି। ବୈଠକରେ ସଂଘର କର୍ମକର୍ତା ଟୁଟୁ ପଟ୍ଟନାୟକ, ଅଜୁ ବାରିକ, ମାଧବ ମିଶ୍ର, ଶ୍ରୀନିବାସ, ବରଦା ଆଚାର୍ଯ୍ୟ ଓ ଲୋକନାଥ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର