ଆଜିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍‌

ଭୁବନେଶ୍ବର : ଗୁରୁବାର ଠାରୁ ଘରୋଇ ବସ୍‌ ଚଳାଚଳ ଆରମ୍ଭ ହେବ। ଗତକାଲି ସରକାରଙ୍କ ସହ ଆଲୋଚନା ପରେ ଆଜି ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି।

କରୋନା ପାଇଁ ଥିବା ଗାଇଡ୍‌ଲାଇନ୍‌ସକୁ ମାନି ବସ୍‌ ଚଳାଚଳ କରିବ। ବସ୍‌ରେ ଯେତିକି ସିଟ୍‌, ସେତିକି ଯାତ୍ରୀ ଯିବେ। ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ବସ୍‌ରେ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଆଯିବ।

କରୋନା ଲକ୍‌ଡାଉନ୍ ପାଇଁ ପ୍ରାୟ ଦୁଇ ମାସ ହେଲା ବସ୍ ଚଳାଚଳ ବନ୍ଦ ରହିଥିଲା। ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟରେ କେବଳ ଗ୍ରିନ୍‌ ଜୋନ୍‌ରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଇବାକୁ ଅନୁମତି ମିଳିଥିଲା। କିନ୍ତୁ ଏଥିରେ ମାଲିକମାନେ ରାଜି ହୋଇ ନ ଥିଲେ। ସରକାର ବସ୍‌ ଭଡ଼ାକୁ ଦୁଇ ଗୁଣ କରିଥିଲେ ବି ତାହା କାମ ଦେଇ ନ ଥିଲା। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସବୁ ଜୋନ୍‌ରେ ବସ୍‌ ଚଳାଇବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ମାଲିକମାନେ ରାଜି ହୋଇ ନ ଥିଲେ। ସଂଘର ଅନ୍ୟାନ୍ୟ ଦାବି ପୂରଣ କରିବାକୁ ଜିଦି ଧରିଥିଲେ। ଗତକାଲି ପରିବହନ ମନ୍ତ୍ରୀଙ୍କ ସହ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନଙ୍କର ଆଲୋଚନା ହୋଇଥିଲା। ତିନି ମାସ ପାଇଁ ରୋଡ୍‌ ଟିକସ ଛାଡ଼ କରିବାକୁ ସରକାର ଏକ ପ୍ରକାର ରାଜି ହୋଇଥିଲା ବେଳେ ଅନ୍ୟ ଦାବିଗୁଡ଼ିକ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଏହା ପରେ ଆଜି ଚଣ୍ଡିଖୋଲରେ ସଂଘର ସାଧାରଣ ପରିଷଦ ବୈଠକ ଡକାଯାଇଥିଲା। ସରକାରଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। ସାମାଜିକ ଦାୟିତ୍ବବୋଧକୁ ବିଚାର କରି ଲୋକଙ୍କ ସୁବିଧା ପାଇଁ ଗୁରୁବାର ଠାରୁ ବସ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ସଂଘର ସଭାପତି ଲୋକନାଥ ପାଣିଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ମୁଖପାତ୍ର ଦେବାଶିଷ ନାୟକ, ସହ କୋଷାଧ୍ୟକ୍ଷ ଅଜୟ କୁମାର ବାରିକ, ଚଣ୍ଡିଖୋଲ ସଂଘର ସଭାପତି ଅମରେନ୍ଦ୍ର ନାୟକ ଓ ସମ୍ପାଦକ ଦିଲ୍ଲୀପ ଚୌଧୁରୀଙ୍କ ସମେତ ବିଭିନ୍ନ ଆଞ୍ଚଳିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ। ରାଜ୍ୟରେ ଏବେ ପ୍ରାୟ ୧୪ ହଜାର ଘରୋଇ ବସ୍‌ ଚଳାଚଳ କରୁଛି।

ଲକ୍‌ଡାଉନ୍‌ ପାଇଁ ରାତି ୭ଟାରେ ବଜାର ଓ ଲୋକଙ୍କ ଚଳପ୍ରଚଳ ବନ୍ଦ ହେଉଥିଲେ ମଧ୍ୟ ସେହି ସମୟରେ ବସ୍‌ ଚଳାଚଳ ଉପରେ କୌଣସି କଟକଣା କରାଯାଇ ନାହିଁ। ରାତ୍ରୀକାଳୀନ ବସ୍‌ଗୁଡ଼ିକ ମଧ୍ୟ ଗମନାଗମନ କରିବ ବୋଲି ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର