ରାଜ୍ୟରେ ଗଡ଼ିବନି ଘରୋଇ ବସ୍‌! ଯାତ୍ରୀ ହେଉନାହାନ୍ତି, କ୍ଷତି ସହୁଛନ୍ତି ମାଲିକ

୧୪ ହଜାରରୁ ଚାଲୁଛି ମାତ୍ର ୭୦୦ ବସ୍‌, ଡିଜେଲ୍‌ ଦରବୃଦ୍ଧି ଯୋଗୁଁ ବସ୍‌ ସେବା ପ୍ରଭାବିତ

ଭୁବନେଶ୍ବର : କରୋନା ଯୋଗୁଁ ରାଜ୍ୟରେ ବସ୍‌ ସେବା ପ୍ରଭାବିତ ହୋଇଛି। ରାଜ୍ୟରେ ୧୪ ହଜାରରୁ ଅଧିକ ଘରୋଇ ବସ୍‌ ଥିବା ବେଳେ ସେଥିମଧ୍ୟରୁ ମାତ୍ର ୭୦୦ ବସ୍‌ ଚଳାଚଳ କରୁଛି। ବସ୍‌ଗୁଡ଼ିକୁ ଦୈନିକ ଦୁଇଥର ବିଶୋଧନ କରାଯିବା ସହ ମାସ୍କ ପିନ୍ଧିବାକୁ ଯାତ୍ରୀଙ୍କୁ ବାଧ୍ୟ କରାଯାଉଛି। ତା’ ପରେ ବି ବସ୍‌ରେ ଯାତ୍ରୀ ହେଉନାହାନ୍ତି। ଗୋଟିଏ ଗୋଟିଏ ବସ୍‌ରେ ୪୦ ପ୍ରତିଶତ ସିଟ୍‌ ପୂରଣ ହେବା ବି କଷ୍ଟକର ହୋଇପଡ଼ୁଛି। ବସ୍‌ ମାଲିକମାନେ କ୍ଷତି ସହୁଥିବାରୁ ଆଗାମୀ ଦିନରେ ଘରୋଇ ବସ୍‌ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଅଧିକାଂଶ ମାଲିକ ଚିନ୍ତା କରୁଛନ୍ତି।

ରାଜ୍ୟରେ ଏବେ ପ୍ରାୟ ୭୦୦ ବସ୍‌ ଚଳାଚଳ କରୁଛି। ଯେଉଁଥିରେ ରାତ୍ରୀକାଳିନ ବସ୍‌ ସଂଖ୍ୟା ଅଧିକ ରହିଛି। ଏହି ବସ୍‌ଗୁଡ଼ିକ ଭୁବନେଶ୍ବର ଓ କଟକରୁ ରାଜ୍ୟର ଦୂରଦୂରାନ୍ତ ସ୍ଥାନକୁ ଗଡ଼ୁଛି। ତେବେ ଯାତ୍ରୀ ହେଉ ନ ଥିବାରୁ ପ୍ରତ୍ୟେକ ବସ୍‌ ମାଲିକ ଦୈନିକ ୧୨ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି। ସ୍ଥିତି ଏମିତି ହେଉଛି ଯେ ବସ୍‌ରେ ଆବଶ୍ୟକ ସର୍ବନିମ୍ନ ଖର୍ଚ୍ଚ ଯଥା ଡିଜେଲ୍‌, କର୍ମଚାରୀଙ୍କ ଦରମା ପାଇଁ ମଧ୍ୟ ଅର୍ଥ ମିଳୁ ନାହିଁ। ଗୋଟିଏ ପଟେ ଯାତ୍ରୀ ହେଉ ନଥିବା ବେଳେ ଅନ୍ୟପଟେ ଡିଜେଲ୍‌ ଦରବୃଦ୍ଧି ବସ୍‌ ଚଳାଚଳରେ ପ୍ରତିବନ୍ଧକ ସାଜିଛି। ମାର୍ଚ୍ଚ ୨୧ରୁ ଜୁଲାଇ ୧ ମଧ୍ୟରେ ଡିଜେଲ୍‌ ଦର ୧୨ଟଙ୍କା ବଢ଼ିଛି। ଆବଶ୍ୟ ଇତିମଧ୍ୟରେ ବସ୍‌ ଭଡ଼ା ଦୁଇ ଥର ବଢ଼ିଛି। ଏସବୁ ଅସୁବିଧା ସତ୍ତ୍ବେ ସାମାଜିକ ଦାୟିତ୍ବ ପାଇଁ ବସ୍‌ ସେବାକୁ ଅବ୍ୟାହତ ରଖିବା ଲାଗି ମାଲିକମାନେ ସେମାନଙ୍କ ମଧ୍ୟରେ କ୍ରମାନ୍ବୟ ରୁଟ୍‌ରେ ବସ୍‌ ଚଲାଇ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଯାତ୍ରୀ ଅଭାବରୁ ବସ୍‌ ଚଳାଇବା ସମ୍ଭବପର ହୋଇ ପାରୁ ନାହିଁ ବୋଲି ନିଖିଳ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

Kolkata24x7

ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ବର୍ତମାନ ଏପରି ପରିସ୍ଥିତି ହୋଇଛି ଯେ ଯେଉଁ ମାର୍ଗରେ ଦୈନିକ ଅନ୍ୟୂନ ୭୦ଟି ବସ୍‌ ଚାଲିବା କଥା, ସେହି ମାର୍ଗରେ ଏବେ ମାତ୍ର ୮ରୁ ୧୦ଖଣ୍ଡ ବସ୍‌ ଚଳାଚଳ କରୁଛି। ତା’ପରେ ବି ଯାତ୍ରୀ ହେଉନାହାନ୍ତି। ନିହାତି ଆବଶ୍ୟକ ନ ହେଲେ, କୌଣସି ବି ଯାତ୍ରୀ ବସ୍‌ରେ ଚଢ଼ୁନାହାନ୍ତି, ବରଂ ବସ୍‌ର ବିକଳ୍ପ ଭାବେ ଦୁଇ ଓ ଚାରି ଚକିଆ ଯାନରେ ଯାତାୟାତ କରୁଛନ୍ତି। ଯଦିଓ ବସ୍‌କୁ ଦୈନିକ ଦୁଇଥର ବିଶୋଧନ କରାଯାଉଛି, ତା’ ସତ୍ତ୍ବେ କରୋନା ସଂକ୍ରମଣ ଭୟ ଯାତ୍ରୀଙ୍କ ମଧ୍ୟରେ ରହୁଛି। ବସ୍‌ ବ୍ୟବସାୟରେ ୧୨ହଜାରରୁ ଅଧିକ ମାଲିକ, ୫୬ ହଜାର କର୍ମଚାରୀ ଓ ସେମାନଙ୍କ ପରିବାରଲୋକଙ୍କ ଜୀବନଜୀବିକା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ବସ୍‌ ମାଲିକମାନଙ୍କ ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ଶୋଚନୀୟ ହୋଇଥିବା ବେଳେ କର୍ମଚାରୀଙ୍କ ପରିସ୍ଥିତିରେ ଦୟନୀୟ ହୋଇପଡ଼ିଛି।

ଅନ୍ୟପକ୍ଷ‌ରେ ରାଜ୍ୟ ସରକାର ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ବସ୍‌ ଉପରୁ ଟିକସ ଛାଡ଼ କଲେ ବୋଲି ଘୋଷଣା‌ କଲେ। ତେବେ ପ୍ରକୃତରେ ରାଜ୍ୟର ୧୪ହଜାର ବସ୍‌ ଏପ୍ରିଲ ଓ ମେ’ ମାସରେ ଗଡ଼ି ନ ଥିଲା। ସେବା ରହିତ ଘୋଷଣା କରି ସମ୍ପୃକ୍ତ ଆଞ୍ଚଳିକ ପରିବହନ କର୍ତୃପକ୍ଷଙ୍କୁ ବିଧିବଦ୍ଧ ଭାବେ ଜଣାଇ ଦେଇଥିଲେ। ତେଣୁ ବସ୍‌ ମାଲିକମାନେ ଏପ୍ରିଲ ଓ ମେ’ ମାସରେ ରାଜ୍ୟ ସରକାରଙ୍କୁ ଟିକସ୍‌ ଦେବା ଆବଶ୍ୟକ ନ ଥିଲା। ପ୍ରକୃତ ପକ୍ଷେ ରାଜ୍ୟ ସରକାର ଗୋଟିଏ ମାସର ଟିକସ ଛାଡ଼ କରିଛନ୍ତି। ଗୋଟିଏ ବସ୍‌କୁ ମାସକୁ ଟିକସ ବାବଦରେ ସର୍ବାଧିକ ୧୫ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ରାଜ୍ୟ ସରକାର ସର୍ବାଧିକ ଜୁନ୍‌ ମାସ ପାଇଁ ୧୫ ହଜାର ଟଙ୍କା ଛାଡ଼ କରିଥିବାରୁ ବସ୍‌ ମାଲିକଙ୍କୁ ଜୁନ୍‌ ମାସରେ ଗୋଟିଏ ବସ୍‌ ଚଳାଇବା ଦ୍ବାରା ମାଲିକମାନେ ଦୈନିକ ୮ ହଜାର ଟଙ୍କା କ୍ଷତି ସହୁଛନ୍ତି।

ସମ୍ବନ୍ଧିତ ଖବର