ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଆସନ୍ତା ୨ ତାରିଖରେ ଆରମ୍ଭ ହେବାକୁ ଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ‘ଲକ୍ଷ୍ମୀ’ ଯୋଜନାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛି। ପ୍ରତିବାଦ ସ୍ବରୁପ ଆସନ୍ତା ଅକ୍ଟୋବର ୧୦ ତାରିଖରୁ ରାଜ୍ୟବ୍ୟାପି ଯାତ୍ରୀବାହୀ ବସ୍ ଧର୍ମଘଟ ଘୋଷଣା କରିଛି ସଂଘ। ଫଳରେ ସେହିଦିନ ଯାତ୍ରୀବାହୀ ବସ୍ଗୁଡ଼ିକ ଚଳାଚଳ ବନ୍ଦ ରହିବ। ଏହା ଦ୍ବାରା ଘରୋଇ ବସ୍ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଅସୁବିଧାର ସାମ୍ନା କରିବେ।
ରାଜ୍ୟ ସରକାର ଆସନ୍ତା ଅକ୍ଟୋବର ୨ ତାରିଖରେ ମାଲକାନଗିରିରୁ ଲକ୍ଷ୍ମୀ ଯୋଜନା ଆରମ୍ଭ କରିବେ। ଏହି ଦିନ ଅବିଭକ୍ତ କୋରାପୁଟ ଜିଲ୍ଲା (କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଂଗପୁର)ରେ ଘରୋଇ ଯାତ୍ରୀବାହୀ ବସ୍ ବନ୍ଦ ରହିବ। ସେହିପରି ଅକ୍ଟୋବର ୧୦ ତାରିଖରେ ରାଜ୍ୟବ୍ୟାପି ବସ୍ ଧର୍ମଘଟ ହେବ।
ଅଲ ଓଡ଼ିଶା ବସ୍ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ବସ୍ ଧର୍ମଘଟ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଅଲ ଓଡ଼ିଶା ବସ୍ ମାଲିକ ସଙ୍ଘରେ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆସନ୍ତା ୧୦ତାରିଖରେ ସାରା ରାଜ୍ୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ ଧର୍ମଘଟ ହେବ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଏହି ବସ ଧର୍ମଘଟ ହେବ। ଆସନ୍ତା ୨ତାରିଖରେ ମାଲକାନଗିରିରେ ଏହି ଯୋଜନାର ଶୁଭାରମ୍ଭ ହେଉଥିବାରୁ ସେହି ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରହିବ। ବାହାର ଜିଲ୍ଲାରୁ ସେହି ୪ଜିଲ୍ଲା (କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁର)କୁ କୌଣସି ବସ ଯିବ ନାହିଁ ବୋଲି ଏହି ବୈଠକ ରେ ନିଷ୍ପତ୍ତି ହୋଇଛି।
ଲକ୍ଷୀ ବସ ଯୋଜନା ଆରମ୍ଭ ପୂର୍ବରୁ ଆଜି ବସ ମାଲିକ ସଙ୍ଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଅନେକେ ଦାବି ରଖିଛି। ସେହି ଦାବି ପୂରଣ ନକଲେ ବସ ଧର୍ମଘଟ ହେବ ବୋଲି ଅଲ ଓଡ଼ିଶା ବସ ମାଲିକ ସଙ୍ଘ ବୈଠକରେ ନିଷ୍ପତ୍ତି ନେବା ସହ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି।