ଭୁବନେଶ୍ୱର : ପରିବହନ ମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ଉପସ୍ଥିତିରେ ଘରୋଇ ବସ୍ ମାଲିକ ସଂଘ ସହ ଗତବର୍ଷ ଅନୁଷ୍ଠିତ ଆଲୋଚନାରେ ନିଆଯାଇଥିବା ନିଷ୍ପତ୍ତି ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ଓ ୯ ଦଫା ଦାବି ପୂରଣ ନ ହେଲେ ଆସନ୍ତା ଜୁଲାଇ ୧ ତାରିଖରୁ ଘରୋଇ ବସ୍ ସେବା ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି। ଆଜି ବସିଥିବା ନିଖିଳ ଓଡ଼ିଶା ବସ୍ ମାଲିକ ସଂଘର କାର୍ଯ୍ୟକାରିଣୀ ବୈଠକରେ ଏଭଳି ଚରମ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସଭାପତି ଲୋକନାଥ ପାଣି।
ସଂଘର ମୁଖ୍ୟ ଦାବିଗୁଡ଼ିକ ହେଉଛି, ବସ୍ ପରମିଟ୍ ତୃତୀୟ ପକ୍ଷକୁ ହସ୍ତାନ୍ତର, ବସ୍ବଡି କୋଡ୍ ଓ ପରିବହନ କମିସନରଙ୍କ ଅନୁମୋଦନ ପରେ ବସ୍ଗୁଡ଼ିକୁ ଚାଲିବାକୁ ଦେବା, ଫିଟ୍ନେସ୍ ଥିବା ଗାଡ଼ିକୁ ସ୍ଥାୟୀ ପରମିଟ୍ ପ୍ରଦାନ, ୪ ବର୍ଷ ଧରି ଚାଲିଥିବା ମଙ୍ଗୁଳିରୁ ସମ୍ବଲପୁର ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ ସାରିବା, ଯାତ୍ରୀବାହୀ ବସ୍ ପାଇଁ ଜାତୀୟ ରାଜପଥ ଉପରେ ଯାତ୍ରୀ ଉଠାଇବା ଓ ଓହ୍ଲାଇବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରିବା ବା ସ୍ଥାନ ନିରୂପଣ ନ ହେବା ପର୍ଯ୍ୟନ୍ତ ପରମିଟ୍ ରଦ୍ଦ ନ କରିବା, ଭୁବନେଶ୍ବର-କୋଣାର୍କ ରାସ୍ତାରେ ‘ମୋ ବସ୍’ ବିନା କାଗଜପତ୍ରରେ ଚଳାଚଳ କରୁଥିଲେ ମଧ୍ୟ ଅନ୍ୟବସ୍ର ସାମାନ୍ୟ ତ୍ରୁଟି ପାଇଁ ଯେଉଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ବନ୍ଦ କରିବା, ୫ ବର୍ଷିଆ ସ୍ଥାୟୀ ପରମିଟ୍ ଅବଧି ମଧ୍ୟରେ ବର୍ଷେ ଅଫ୍ରୋଡ୍ ପାଇଁ ଥିଲେ ମଧ୍ୟ ପରମିଟ୍ ନବୀକରଣ କରିବା, କୋଭିଡ୍ ସଂକ୍ରମଣ ଯୋଗୁଁ କ୍ଷତିଗ୍ରସ୍ତ ମାଲିକଙ୍କୁ ସହଜରେ ଋଣ ଯୋଗାଣ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କ୍ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେବା, ଯାତ୍ରୀବାହୀ ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର(ଏଚ୍ଏସ୍ଆରପି) ପ୍ଲେଟ୍ ଲଗାଇବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପ୍ରଭୃତି ରହିଛି। ଏହି ଦାବିଗୁଡ଼ିକ ଚଳିତ ୩୦ ସୁଦ୍ଧା ପୂରଣ ନ ହେଲେ ଜୁଲାଇ ୧ ତାରିଖ ଠାରୁ ବସ୍ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।
ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ସହ କୋଷାଧ୍ୟକ୍ଷ ଅଜୟ ବାରିକ, ମୁଖପାତ୍ର ଦେବାଶିଷ ନାୟକଙ୍କ ସମେତ ସମ୍ବଲପୁର, ତାଳଚେର, ଗଞ୍ଜାମ, ଭଦ୍ରକ, ଆସ୍କା, ଚଣ୍ଡୀଖୋଲ, ଖରିଆର, କେନ୍ଦୁଝର, କଟକ, ରାୟଗଡ଼ା ପ୍ରଭୃତି ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।