ଆଜିଠୁ ଗଡ଼ିବନି ଘରୋଇ ବସ୍‌

ସରକାର-ବସ୍‌ ମାଲିକ ସଂଘ ଆଲୋଚନା ବିଫଳ

ଭୁବନେଶ୍ୱର : ଆଜି ମଧ୍ୟରାତ୍ରିରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ଆଜି ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ସଂଘ ନିଜ ନିଷ୍ପତ୍ତିରେ କାଏମ ରହିଛି। ଫଳରେ ରାଜ୍ୟରେ ୧୭ହଜାର ଘରୋଇ ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରହିବ।

ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ ସୂଚନା ଅନୁଯାୟ, ୧୧ଦଫା ଦାବି ନେଇ ସଂଘର ପରିବହନ ବିଭାଗ ସହିତ ଆଲୋଚନା ହୋଇଥିଲା। ଏଥିରେ ପରିବହନ ସଂକ୍ରାନ୍ତୀୟ ସଂଘର ଅଧିକାଂଶ ଦାବିଗୁଡ଼ିକୁ ସରକାର ମାନି ନେଇଛନ୍ତି। ତେବେ ସିଟି ବସ୍‌ ସଂକ୍ରାନ୍ତୀୟ ଦାବି ଉପରେ କୌଣସି ଆଲୋଚନା ହୋଇପାରି ନ ଥିଲା। ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବ ଅନୁପସ୍ଥିତ ରହିବାରୁ ଏହା ଉପରେ କୌଣସି ଆଲୋଚନା ହୋଇପାରିନାହିଁ।

ଆସନ୍ତାକାଲି ପୁଣିଥରେ ବୈଠକ ବସିବ ବୋଲି ଆଶା କରାଯାଉଛି। ତେଣୁ ସଂଘ ନିଜର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ମଧ୍ୟରାତ୍ରିରୁ ବସ୍‌ ଚଳାଚଳ ବନ୍ଦ ନିଷ୍ପତ୍ତିକୁ କାଏମ ରହିଛି। ଆଜିର ବୈଠକରେ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ସଚିବ ଜି.ଶ୍ରୀନିବାସନ୍‌, ବିଡିଏ ଉପାଧ୍ୟକ୍ଷ କ୍ରୀଷ୍ଣନ୍‌ କୁମାର ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ସହିତ ସଂଘ ସଭାପତି ଅବକାଶ ମିଶ୍ର, ସଂପାଦକ ଦେବେନ୍ଦ୍ର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ସିଟି ବସ୍‌ ଚଳାଚଳ ନେଇ ସୀମା ନିର୍ଧାରଣଠାରୁ ଆରମ୍ଭ କରି ରାଜ୍ୟର ପ୍ରମୁଖ ରାସ୍ତାଗୁଡ଼ିକରେ ସ୍ଥାପିତ ହୋଇଥିବା ଟୋଲଗେଟ୍‌ ଗୁଡ଼ିକରେ ଟୋଲ ଫି’ଆଦାୟକୁ ଘରୋଇ ଯାତ୍ରୀବାହୀ ବସ୍‌କୁ ଛାଡ଼ କରିବା, ମୋଟର ଯାନ ଟିକସ ବୃଦ୍ଧିକୁ ସନ୍ତୁଳିତ ଭାବେ କମାଇବା ପ୍ରସ୍ତାବ କାର୍ଯ୍ୟକାରୀ ଭଳି ଦାବି ନେଇ ସଂଘ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର