କଟକ: ପୂର୍ବରୁ ପ୍ରସ୍ତାବିତ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଆଜିଠାରୁ ବସ୍ ଚଳାଚଳ ସ୍ବାଭାବିକ ହେବ। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ। ସେ କହିଛନ୍ତି, ଆଜି ସକାଳୁ ବସ୍ ଚଳାଚଳ ଆରମ୍ଭ ହୋଇଛି।ରାସ୍ତା କ୍ଲିଅର୍ ହେଉଛି, ସ୍ଥିତି ସ୍ବାଭାବିକ ହେଉଛି। ତେବେ ଆଜି ଦିନ ୧ଟା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ସଂଘ।
ଗତକାଲି ଡ୍ରାଇଭର ମହାସଂଘ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଏହାର ସକାରାତ୍ମକ ଫଳାଫଳ ଆସିଥିବାରୁ ବସ୍ ଚଳାଚଳ ବନ୍ଦ କରିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଆନ୍ଦୋଳନକାରୀ ରାସ୍ତାରେ ଆମ ଗାଡ଼ି ଚାଳକଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଛନ୍ତି। ଏଭଳି ପରିସ୍ଥିତିରେ ଆମେ କଣ ଆଉ କରିବୁ? ଦିନ ୧୦ ଟାରୁ ୧୧ ଟା ଏକ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ରାଜପଥ ଉପରେ ବସ ଛିଡ଼ା କରି ଆମେ ପ୍ରତିବାଦ ପ୍ରଦର୍ଶନ କରିବୁ। ଆମେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ। ଏହାପରେ ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମେ ବସ ଚଳାଇବୁ ନାହିଁ। ୮ ହଜାର ବସ ମାଲିକଙ୍କର ୧୪ ହଜାର ବସ ବନ୍ଦ ରହିବ।
ଆଜି ଆନ୍ଦୋଳନ କରିବନି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ: ସ୍ବାଭାବିକ ହେଉଛି ସ୍ଥିତି
/sambad/media/post_attachments/wp-content/uploads/2023/03/03e22d49-b3f9-4800-9ebc-c6e027681c3c.jpg)