କୃଷି ପାଇଁ ଘରୋଇ ପୁଞ୍ଜି ଜରୁରୀ

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ ତ୍ରିପାଠୀଙ୍କ ମତ

ଭୁବନେଶ୍ବର : କୃଷକମାନଙ୍କ ଆୟବୃଦ୍ଧି ପାଇଁ ଗ୍ରାମାଞ୍ଚଳରେ କୃଷି ଉଦ୍ୟୋଗ ଓ କୃଷି ବ୍ୟବସାୟକୁ ଗୁରୁତ୍ବ ଦିଆଯିବା ଦରକାର। ଏଥିପାଇଁ ଘରୋଇ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ଆଜି କୃଷି ଭବନରେ କୃଷି ବିକାଶ ସଂକ୍ରାନ୍ତ ଯୋଜନାଗୁଡ଼ିକର ସମୀକ୍ଷା କରିବା ଅବସରରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ। ଏଥିପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସରକାରୀ ଯୋଜନା ମଧ୍ୟରେ ସୀମିତ ନ ରହି ସଫଳ ଘରୋଇ ଉଦ୍ୟୋଗୀମାନଙ୍କ ସହ ଯୋଗାଯୋଗ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ବୈଠକରେ କୃଷି ଉତ୍ପାଦନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ମୁଖ୍ୟ ପରାମର୍ଶଦାତା ଶ୍ରୀ ତ୍ରିପାଠୀ କହିଥିଲେ, କୃଷି କାର୍ଯ୍ୟ ପ୍ରତି ଅଧିକରୁ ଅଧିକ ଯୁବପୀଢ଼ି ଯେପରି ଆକର୍ଷିତ ହେବେ, ସେ ଦିଗରେ ସରକାରଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟରେ ବ୍ୟବସାୟ ଅନୁକୂଳ ବାତାବରଣ ଓ କୃଷି ପ୍ରାଚୁର୍ଯ୍ୟ ଯୋଗୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ଜିଲ୍ଲାମାନଙ୍କରେ ଘରୋଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗଢ଼ି ଉଠିଛି। ଏହି ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସଠିକ୍‌ ସହାୟତା ଯୋଗାଇଲେ ଘରୋଇ ପୁଞ୍ଜିନିବେଶ ବଢ଼ିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆର୍ଥିକ ବିକାଶ ସମ୍ଭବ ହେବ। ଘରୋଇ ପ୍ରଚେଷ୍ଠାରେ ଗଢ଼ି ଉଠିଥିବା ଏହି ଉଦ୍ୟୋଗଗୁଡ଼ିକୁ ଋଣ, ବୈଷୟିକ ପରାମର୍ଶ ଓ ବଜାର ସଂଯୋଗ ଯୋଗାଇବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି କରିବାକୁ ସେ କୃଷି କୃଷକ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ସୂଚନା ଦେଇ କହିଥିଲେ, ବର୍ତ୍ତମାନ ସମସ୍ତ ଜିଲ୍ଲାରେ କୃଷି ନିୟାମକ-୨୦୨୦ ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଇଛି। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବିକାଶର ସମସ୍ତ ବିଷୟକୁ ଏହି ନିୟାମକର ପରିସରଭୁକ୍ତ କରାଯାଇଛି। ଏବେ ରାଜ୍ୟରେ ସମୁଦାୟ ୬୧.୮୦ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଫସଲ ଚାଷ ହେଉଛି। ସେଥିରୁ ୧୩.୬୦ ଲକ୍ଷ ହେକ୍ଟର ଜମିରେ ଫଳ ଓ ବଗିଚା ଚାଷ ହେଉଛି। ରାଜ୍ୟରେ ୩୪ଟି ‘ଫୁଡ୍‌ ପ୍ରୋସେସିଂ’ ଉଦ୍ୟୋଗ, ୩୬ଟି ଲେମନ୍‌ ଗ୍ରାସ୍‌ ତୈଳ ଓ ୧୬ଟି କାଜୁ ପ୍ରକ୍ରିୟାକରଣ ଉଦ୍ୟୋଗ କାର୍ଯ୍ୟକ୍ଷମ ହୋଇଛି। ‘ପ୍ରତି ଜିଲ୍ଲା ଗୋଟିଏ ଉତ୍ପାଦ ବିଷୟ’ ସର୍ଭେ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି। କୃଷି ନିର୍ଦ୍ଦେଶକ ମୁଥୁକୁମାର କହିଥିଲେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପୁଞ୍ଜି ନିବେଶକାରୀଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡ଼ି ଦିଆଯାଉଛି। ପ୍ରାୟ ୮୩ ପ୍ରକାର କୃଷି ପ୍ରକଳ୍ପକୁ ଏହାର ଅନ୍ତର୍ଭୁକ୍ତ କରାଯାଇଛି। ଏବେସୁଦ୍ଧା ୩୬୫ଟି ଉତ୍ପାଦନ କରୁଥିବା ଉଦ୍ୟୋଗଗୁଡ଼ିକୁ ସବସିଡି ଯୋଗାଇ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ୧୧୩ଟି ୟୁନିଟକୁ ୪୪ କୋଟି ଟଙ୍କାର ସବ୍‌ସିଡି ପ୍ରଦାନ କରାଯାଇଛି। ଏହିସବୁ ଉଦ୍ୟୋଗ ମାଧ୍ୟମରେ ୫୬୫ ଜଣଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଶାସନ ସଚିବ ରଘୁ ଜୀଙ୍କ ସମେତ ନାବାର୍ଡ଼, ଆପିକଲ୍‌, କୃଷି ବିପଣୀ ସଂସ୍ଥା ଆଦିର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର